Categories: ଖେଳ

ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିବା ସତ୍ତ୍ୱେ ଆଇପିଏଲ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବ ନାହିଁ- ଗାଙ୍ଗୁଲି

ମୁମ୍ବାଇ,୯।୩- କରୋନା ଭାଇରସ୍‌ର ସ୍ଥିତି ଦେଶରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହି କାରଣରୁ ଆଇପିଏଲ କାର୍ଯ୍ୟସୂଚୀରେ ପରିବର୍ତ୍ତନ ସମ୍ଭାବନା ସୃଷ୍ଟି ହୋଇଛି। ଏଥିଯୋଗୁ ଆଇପିଏଲ ବାତିଲ କରିବା ଲାଗି ସରକାରଙ୍କ ସହ ଆଲୋଚନା ଚାଲିଥିବା ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ ସୋମବାର ଏକ ବିବୃତି ଜରିଆରେ କହିଛନ୍ତି। ହେଲେ ଆଇପିଏଲର ୧୩ତମ ସଂସ୍କରଣ ଧାର୍ଯ୍ୟ ତାରିଖରେ ହିଁ ଆରମ୍ଭ ହେବ। କାର୍ଯ୍ୟସୂଚୀରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ତୋପେ କହିଛନ୍ତି, ଆଇପିଏଲ ଖେଳାଗଲେ କରୋନା ଭାଇରସ ବ୍ୟାପିପାରେ। ଷ୍ଟାଡିୟମରେ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପସ୍ଥିତ ରହିବେ। ଏଭଳି ସ୍ଥିତିରେ କରୋନା ଭାଇରସ ବ୍ୟାପିଲେ, ସ୍ଥିତି ସାଙ୍ଘାତିକ ହୋଇପାରେ। ରାଜ୍ୟରେ ୧୫ ଜଣଙ୍କୁ ଅବଜରଭେଶନରେ ରଖାଯାଇଛି। ୨୫୮ ଜଣ ଡିସଚାର୍ଯ ହୋଇସାରିଛନ୍ତି। ମାତ୍ର ଗୋଟିଏ ହେଲେ ପଜିଟିଭ ରିପୋର୍ଟ ଆସିନାହିଁ। ବିସିସିଆଇ ସମସ୍ତ ପ୍ରକାର ପଦକ୍ଷେପ ନେବ ବୋଲି ଗାଙ୍ଗୁଲି କହିଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୁରକ୍ଷା ପଦକ୍ଷେପ ବିସିସିଆଇ ଗ୍ରହଣ କରିବ। ଏଥିରେ ଖେଳାଳି, ଫ୍ରାଞ୍ଚାଇଜ, ଏୟାର ଲାଇନ, ଦଳୀୟ ହୋଟେଲ, ପ୍ରସାରଣକାରୀ କର୍ମକର୍ତ୍ତା ଓ ଇଭେଣ୍ଟରେ ଜଡ଼ିତ ସମସ୍ତଙ୍କୁ ସାମିଲ କରାଯିବ। ବୋର୍ଡ ସମସ୍ତ ଖେଳାଳିଙ୍କୁ କାହା ସହ ହାତ ନ ମିଳାଇବାକୁ ଉପଦେଶ ଦେଇପାରେ।

Share