Categories: ରାଜ୍ୟ

ମହାମାରୀ ସମୟରେ ହୋଇଛି ମହାଦୁର୍ନୀତି: ପିସିସି ସଭାପତି

ଭୁବନେଶ୍ୱର, ୯।୬(ବ୍ୟୁରୋ): କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ରାଜନୀତି ଜୋର ଧରିଛି। ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି। ମାସ୍କ କିଣାରେ ଦୁର୍ନୀତି ନେଇ ରାଜ୍ୟ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଏ ନେଇ କଂଗ୍ରେସ ଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ବିବୃତି ପ୍ରଦାନ କରିଛନ୍ତି।
ସେ କହିଛନ୍ତି, ମହାମାରୀ ସମୟରେ ମହାଦୁର୍ନୀତି ହୋଇଛି। ତାମିଲନାଡୁର ଏକ ସଂସ୍ଥାରୁ ୧୬ ଟଙ୍କା ଦାମରେ ୩୦ ଲକ୍ଷ ମାସ୍କ ଆସିଛି। ଅନ୍ୟ ରାଜ୍ୟମାନେ ଏହାକୁ ୧.୩୪ ଟଙ୍କାରୁ ୮.୪୭ ଟଙ୍କାରେ କିଣିଛନ୍ତି। ସରକାରୀ ସଂସ୍ଥାରୁ ସାମଗ୍ରୀ କିଣିବାର ନିୟମ ଥିବା ବେଳେ ଓଡ଼ିଶାରେ ତାହା କରାଯାଉ ନାହିଁ। ସ୍ବାସ୍ଥ୍ୟମନ୍ତ୍ରୀ କହୁଛନ୍ତି ଭାରତ ସରକାର କିଣା ଦାମ ଧାର୍ଯ୍ୟ କରିଥିଲେ। ମନ୍ତ୍ରୀ କହୁଛନ୍ତି ଅଫିସରଙ୍କୁ ପଚାର। ତେବେ ଏଥିପାଇଁ ମନ୍ତ୍ରୀ ନିଜେ ଉତ୍ତରଦାୟୀ ବୋଲି ସେ ଜାଣିବା ଉଚିତ ବୋଲି ପଟ୍ଟନାୟକ ହିଛନ୍ତି।
ସେହିପରି ଆରଟିପିସିଆର ମେଶିନ ଦାମ ୪ରୁ ୫ ଲକ୍ଷ । ମାତ୍ର ଏହାକୁ ୧୨.୮୪ ଲକ୍ଷରେ କିଣାଯାଇଛି । କୋଭିଡ ମେଶିନ ପାଇଁ ଗୋଟି କମ୍ପାନୀକୁ ୧୨ କୋଟି ଅଗ୍ରୀମ ଦିଆଯାଇଛି । ପିପିଇ ମଧ୍ୟ ବହୁ ଅଧିକ ଦାମରେ କିଣା ଯାଇଛି । ପିପିଇ ବ୍ୟବହାର ପାଇଁ ଦେବା ପୂର୍ବରୁ ଟେଷ୍ଟ କରିବା କଥା । କିନ୍ତୁ ତାହା କରାଯାଇନାହିଁ। ତେବେ ମୁଖ୍ୟମନ୍ତ୍ରୀ ଏସବୁ କଥା ଜାଣିଛନ୍ତି। ତେଣୁ ଦୁର୍ନୀତି ହୋଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ମନ୍ତ୍ରୀ କହୁଛନ୍ତି ମଁୁ କିଛି ଜାଣିନି। ମାତ୍ର ଗଣତନ୍ତ୍ରରେ ମନ୍ତ୍ରୀ ଉତ୍ତରଦାୟୀ। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ପିସିସି ସଭାପତି କହିଛନ୍ତି। ଏଥିସହ ଲୋକଯୁକ୍ତ, ସିବିସର ଦ୍ୱାରସ୍ତ ହେବ କଂଗ୍ରେସ।
ମାସ୍କ ଦୁର୍ନୀତି ଅଭଯୋଗ ନେଇ ଯୁବ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ହେମନ୍ତ ଶର୍ମାଙ୍କ କୁଶ ପୁତ୍ତଳିକ ଦାହ କରାଯାଇଛି। ଯୁବ କଂଗ୍ରେସ ପକ୍ଷରୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଗିରଫ ଦାବି ହୋଇଛି। ଏ ନେଇ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ମଧ୍ୟ ପ୍ରଦାନ କରିଛନ୍ତି।