ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଦେଖିଲେ ଭକ୍ତ

ପୁରୀ ଅଫିସ,୧୨ା୧୧: କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ସୋମବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି। ଏହି ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। ପ୍ରାତଃରେ ଠାକୁରଙ୍କ ଅବକାଶ ନୀତି ପରେ ଏହି ବେଶ କରାଯାଇଥିଲା। ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ରତ୍ନସିଂହାସନରେ ମହାପ୍ରଭୁଙ୍କ ଦୁଲର୍‌ଲଭ ସୁନାବେଶ ଅନୁଷ୍ଠିତ ହେବ।
ଲକ୍ଷ୍ମୀନୃସିଂହ ବେଶରେ ଠାକୁରମାନେ ସୁବର୍ଣ୍ଣର ଶ୍ରୀଭୁଜ, ଶ୍ରୀପୟର, କିରୀଟ, କୁଣ୍ଡଳ, ଚନ୍ଦ୍ରିକା ଆଦି ଧାରଣ କରିଥିଲେ। ବଡଠାକୁର ସୁବର୍ଣ୍ଣର ହଳ ମୂଷଳ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥ ରୁପାର ଶଙ୍ଖ ଓ ସୁବର୍ଣ୍ଣ ଚକ୍ର ଧାରଣ କରିଥିଲେ। ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଚୂଳରେ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥିଲା। ଏଥିସହ ସୋଲ ଓ ଜରିରେ ନିର୍ମିତ ବିଭିନ୍ନ ଫୁଲ ଧାରଣ କରିଥିଲେ। ଏହି ବେଶରେ ଠାକୁରମାନେ ପାଟବସ୍ତ୍ରରେ ବିଭୂଷିତ ହେବା ସହ ବିଭିନ୍ନ ସୁବାସିତ ପୁଷ୍ପରେ ମଣ୍ଡିତ ହୋଇଥିଲେ। ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମା। ଧର୍ମ ମାସ କାର୍ତ୍ତିକର ଶେଷ ଦିବସ। ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ଏହି ବେଶକୁ ସୁନାବେଶ କୁହାଯାଇଥାଏ। ବିଭିନ୍ନ ପାଟ ବସ୍ତ୍ର ଏବଂ ରତ୍ନ ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହେବେ। ଭକ୍ତଙ୍କ ସୁନାବେଶ ଦର୍ଶନ ଏବଂ ନୀତି ସୁରୁଖୁରୁରେ ସମ୍ପନ୍ନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।