ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଦେଖିଲେ ଭକ୍ତ

ପୁରୀ ଅଫିସ, ୧୦।୧୧: କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତଥା ପଞ୍ଚୁକର ଦ୍ୱିତୀୟ ଦିବସରେ ଶନିବାର ରତ୍ନସିଂହାସନରେ ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଅନୁଷ୍ଠିତ ହୋଇଛି । ଏହି ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ଅବକାଶ ନୀତି ଶେଷ ହେବା ପରେ ଠାକୁରମାନଙ୍କ ବାଙ୍କଚୂଡ଼ା ବେଶ କରାଯାଇଥିଲା। ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ଼ ଖୋସା ପକାଯାଇଥିଲା। ଏହି ଖୋସାର ଅଗ୍ର ଗଣ୍ଠିରେ ଏକ ସୁବର୍ଣ୍ଣ କିଆ ଖଞ୍ଜା ଯାଇଥିଲା। ଏକ ଛୋଟ ସ୍ବର୍ଣ୍ଣ କିରୀଟ ମହାପ୍ରଭୁଙ୍କ କପାଳର ଶୀର୍ଷ ଭାଗରେ ଶୋଭା ପାଇଥିଲା। ଲକ୍ଷ୍ମୀ ନାରାୟଣ ବେଶରେ ବ୍ୟବହୃତ ହେଉଥିବା ଅଧିକାଂଶ ଅଳଙ୍କାର ଏହି ବେଶରେ ମହାପ୍ରଭୁ ଲାଗି ହୋଇଥିଲେ। ଏଥିସହ ଶ୍ରୀମନ୍ଦିରରେ ଗରୁଡ଼ ଉତ୍‌ଥାପନ ନୀତି ସମ୍ପନ୍ନ ହୋଇଛି। ଏକାଦଶୀରେ ମହାପ୍ରଭୁ ନିଦରୁ ଉଠିଥିବାବେଳେ ଶନିବାର ଦ୍ୱାଦଶୀରେ ଗରୁଡ଼ ନିଦ୍ରା ତ୍ୟାଗ କରିଛନ୍ତି। ରବିବାର ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ।