ମହାନଦୀ ମଝିପଠାରେ ହାତୀପଲ, ଦେଖିବା ଲାଗି ଜମୁଛି ଲୋକଙ୍କ ଭିଡ଼

ନରାଜ,୧୭ା୯(ଡି.ଏନ.ଏ)- ମୁଣ୍ଡଳି ନିକଟସ୍ଥ ମହାନଦୀ ପଠାରେ ସୋମବାର ବିଳମ୍ବିତ ରାତିରେ ଏକ ହାତୀପଲ ଆସି ଅଟକି ଯାଇଥିବା ଦେଖାଯାଇଛି। ଏହି ହାତୀପଲରେ ୧୧ଗୋଟି ହାତୀ ଥିବାବେଳେ ସେଥିରୁ ମାଈ ୪ଟି, ପୁରୁଷ ୩ଟି ଓ ଛୁଆହାତୀ ୪ଟି ଅଛନ୍ତି। ହାତୀପଲ ଆଠଗଡ ଜଙ୍ଗଲରୁ ମେଘା ନିକଟବର୍ତ୍ତୀ ଶୁକାସନ ଜଙ୍ଗଲଦେଇ ଚନ୍ଦକା- ଡମପଡା ହସ୍ତୀ ଅଭୟାରଣ୍ୟକୁ ମହାନଦୀ ପାର ହୋଇ ଆସୁଥିବାବେଳେ ଅଧା ନଈରେ ଥିବା ଏକ ପଠାରେ ଅଟକି ଯାଇଛନ୍ତି। ସକାଳ ହେବାପରେ ହାତୀଗୁଡିକ ପଠା ମଧ୍ୟରେ ଥିବା ବଡ ବଡ ଗଛ ତଳେ ରହିଥିବାର ଲୋକେ ଦେଖିଥିଲେ। ହାତୀମାନେ ରାତ୍ର ସମୟରେ ଜଙ୍ଗଲ ପରିବର୍ତ୍ତନ କରୁଥିବାରୁ ସକାଳ ଓ ଦିନର ଅଧିକ ଖରା ପାଇଁ ହାତୀପଲ ସେହି ଗଛ ମୂଳେ ହିଁ ଆଶ୍ରୟ ନେଇଥିଲେ। ଅନ୍ୟପଟେ ହାତୀ ଥିବା ଖବର ଶୁଣି ଲୋକମାନଙ୍କ ଭିଡ ହେଉଥିବାରୁ ହାତୀମାନେ ଆସୁ ନ ଥିବାର ଅନ୍ୟ ଏକ କାରଣ ହୋଇପାରେ। ପରେ ଡମପଡ଼ା ବନ ବିଭାଗର ରେଞ୍ଜର ସଂଗ୍ରାମ କେଶରୀ ମହାନ୍ତି, ଭଗିପୁର ସେକ୍ସନର ଡେପୁଟି ରେଞ୍ଜର ନିରଞ୍ଜନ ମହାପାତ୍ର ଓ ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ହାତୀମାନଙ୍କ ଉପରେ ଗତିବିଧି ଲକ୍ଷ୍ୟ କରିବା ପାଇଁ ଦୁଇଟି ଟିମ ଗଠନ କରିଛନ୍ତି। ଗୋଟିଏ ଟିମ ମୁଣ୍ଡଳି ନିକଟବର୍ତ୍ତୀ ନୁଆସାହିଠାରେ ଜଗିରହିଥିବା ବେଳେ ଭଗିପୁରରେ ଅନ୍ୟ ଟିମ ହାତୀପଲର ଗତିବିଧି ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ନଜର ରଖିଛନ୍ତି। ସନ୍ଧ୍ୟା ହେଲେ ଏହି ହାତୀମାନେ ଚନ୍ଦକା-ଡମପଡା ଅଭୟାରଣ୍ୟ ଅଭିମୁଖେ ପଠାଯିବା ପାଇଁ ଉଦ୍ୟମ କରାଯିବ ବୋଲି ବନ ବିଭାଗର ଅଧିକାରୀ ପ୍ରକାଶ କରିଛନ୍ତି।