ମହାନଦୀ ପଠାରେ ମାଣପେଡି,ଖଟୁଲି ସଫା

ଖଣ୍ଡପଡା,୫।୧୨(ସ୍ବ.ପ୍ର.): ପରିବାରର ସୁଖ ଏବଂ ସମୃଦ୍ଧି ପାଇଁ ମା’ଲକ୍ଷ୍ମୀଙ୍କୁ ମାର୍ଗଶିର ମାସର ପ୍ରତି ଗୁରୁବାର ଆରାଧନା କରାଯାଇଥାଏ। ଆସନ୍ତା ୧୨ ତାରିଖ ମାର୍ଗଶିର ମାସର ଶେଷ ଗୁରୁବାର । ମାତ୍ର ସେଦିନ ପଣ୍ଡୁ ପୂର୍ଣ୍ଣମୀ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଥିବାରୁ ଖଣ୍ଡପଡା ଅଞ୍ଚଳର ବହୁ ଘରେ ୫ତାରିଖ ମାଣଓଷାର ଶେଷ ପାଳି ପାଳନ କରାଯାଉଥିବା ଜଣାପଡିଛି। କେଉଁ ଆବହମାନ କାଳରୁ ଉକତ୍ଳୀୟ ପରମ୍ପରାରେ ସାମିଲ ହୋଇଥିବା ଏହି ପୂଜାରେ କୌଣସି ଜାତିଭେଦ ନ ଥାଏ। ଚଳିତ ଗୁରୁବାର ମାର୍ଗଶିର ମାସର ଶେଷ ପାଳି ହେଉଥିବାରୁ ଗ୍ରାମାଞ୍ଚଳରେ ଏହି ପୂଜା ନିମନ୍ତେ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ହୋଇଯାଇଛି। ମହିଳା ତଥା ବୟସ୍କ ବ୍ୟକ୍ତିମାନେ ନଦୀ ଓ ପୁଷ୍କରିଣୀରେ ମା’ଲକ୍ଷ୍ମୀଙ୍କ ଖଟୁଲି ଓ ମାଣ ପେଡିକୁ ନେଇ ସଫା କରିବା ପରେ ଘରେ ଗୋବର ପାଣି ପକାଇ ଲିପାପୋଛା କରିଥିଲେ। ବିଶେଷକରି କଣ୍ଟିଲୋ, ବାଣପୁର, ସିଧାମୂଳା ଆଦି ମହାନଦୀ କୂଳବର୍ତ୍ତୀ ଗ୍ରାମର ମହିଳାମାନେ ଅପରାହ୍ନରେ ମହାନଦୀର ବାଲିପଠାକୁ ନୌକା ଓ ମୋଟର ଲଞ୍ଚରେ ପାରି ହୋଇ ମାଣ ପେଡି ଓ ଖଟୁଲି ସଫା କରୁଥିବା ଦୃଶ୍ୟ ମନୋରମ ଥିଲା।
ଓଡିଆ ଘରର ମହିଳା ତଥା ଝିଅମାନେ ମାଣଓଷା ପାଇଁ ବୁଧବାରଠାରୁ ଘର ସଫା କରିବା ସହିତ ବିଳମ୍ବିତ ରାତ୍ରି ପଯର୍‌ୟନ୍ତ ଘର ଓ ବାହାରେ ଝୋଟି ପକାଇବା କାମରେ ଲାଗି ଯାଇଛନ୍ତି। ଘର କାନ୍ଥ, କବାଟ, ଅଗଣା, ପିଣ୍ଢା,ଚଉରା ମୂଳରେ ଅରୁଆ ଚାଉଳର ପିଠଉ ଦ୍ୱାରା ଓଲଟ ଶୁଆ, ଧାନ ଶିସା ଓ ଲକ୍ଷ୍ମୀ ପାଦର ଚିତା ପକାଉଥିବା ଦେଖିବାକୁ ମିଳିଥିଲା।