Categories: ଜାତୀୟ

ମହାନଦୀ ଜଳ ବିବାଦ: ଓଡ଼ିଶା, ଛତିଶଗଡ଼କୁ ଦସ୍ତାବିଜ୍‌ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୪ା୭: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ପ୍ରକଳ୍ପ ନିର୍ମାଣ କରି ଓଡ଼ିଶାକୁ ଜଳପ୍ରବାହରେ ବାଧା ସୃଷ୍ଟି କରିଥିବାବେଳେ ଏହି ମାମଲା ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ଅକ୍ଟୋବର ୧୯ ପୂର୍ବରୁ ଏହା ଉପରେ ଦସ୍ତାବିଜ୍‌ ଦାଖଲ କରିବା ଲାଗି ଟ୍ରିବ୍ୟୁନାଲ ଉଭୟ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ଛତିଶଗଡ଼ର ଉକ୍ତ ପ୍ରକଳ୍ପସ୍ଥଳ ପରିଦର୍ଶନ କରିବା ପୂର୍ବରୁ ଓଡିଶା ସରକାର କେତେକ ତଥ୍ୟ ମାଗିଥିବାବେଳେ ଏହା ଯୋଗାଇଦେବା ଏବଂ ଦୁଇ ରାଜ୍ୟ ମଧ୍ୟରେ ବୈଠକରେ ସମନ୍ବୟ ରକ୍ଷା ପାଇଁ ଟ୍ରିବ୍ୟୁନାଲ ଜଣେ ଆସେସର (ବିଚାରପତିଙ୍କୁ ସହାୟତା କରିବା ଲାଗି ବିଶେଷଜ୍ଞ) ନିଯୁକ୍ତ କରିବେ ବୋଲି ଜଣାପଡିଛି। ଓଡ଼ିଶା ସରକାରଙ୍କ ଆବେଦନକ୍ରମେ ଅଗଷ୍ଟ ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଏ.ଏମ୍‌. ଖାନଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ନିଷ୍ପତ୍ତି ନେଇଛନ୍ତି। ଜଣେ ଆସେସର ନିଯୁକ୍ତ ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣିରେ ଅନ୍ୟ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ଖଣ୍ଡପୀଠ କହିଛନ୍ତି।
ଓଡ଼ିଶା ସରକାରଙ୍କ ପ୍ରତିନିଧି ଦଳ ଛତିଶଗଡ଼ରେ ପ୍ରକଳ୍ପସ୍ଥଳ ଅନୁଧ୍ୟାନ କରିବା ପରେ ସେଠାରୁ ଏକ ପ୍ରତିନିଧି ଦଳ ଓଡ଼ିଶା ଆସି ମହାନଦୀ ଜଳପ୍ରବାହ ପରିଦର୍ଶନ କରିବ। ପରେ ଦୁଇପକ୍ଷ ମଧ୍ୟରେ ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ଉଦ୍ୟମ କରିବେ। ପରିଦର୍ଶନ ପୂର୍ବରୁ ଛତିଶଗଡ଼ ନିର୍ମାଣ କରୁଥିବା ବ୍ୟାରେଜ ସମ୍ପର୍କରେ ଅଧିକ ତଥ୍ୟ ଆବଶ୍ୟକ ବୋଲି ଶୁଣାଣି ବେଳେ ଓଡିଶା ପକ୍ଷରୁ ମହାଧିବକ୍ତା ଅଶୋକ ପରିଜା ଟ୍ରିବ୍ୟୁନାଲଙ୍କୁ କହିଥିଲେ। ଛତିଶଗଡ଼ର ଜବାବ ଉପରେ ପ୍ରତିଜବାବ ତିନିସପ୍ତାହ ମଧ୍ୟରେ ରଖିବା ଲାଗି ଖଣ୍ଡପୀଠ କହିବା ସହ ସମସ୍ତ ପକ୍ଷଙ୍କୁ ଦସ୍ତାବିଜ୍‌ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ୬ଟି ବ୍ୟାରେଜ୍‌ ଉପରେ ରହିତାଦେଶ ଜାରି କରିବା ସହିତ ଅଣମୌସୁମୀ ଋତୁ (ନଭେମ୍ବରରୁ ମେ)ରେ ଓଡ଼ିଶାକୁ ଜଳପ୍ରବାହ ୧.୭୪ ନିୟୁତ ଏକର ଫୁଟ୍‌ ରଖିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଥିଲା।

Share