ମମତାର ଡାକ

ଦ୍ୱିତୀ ଚନ୍ଦ୍ର ସାହୁ
ପ୍ରବଳ ଖରାରେ ଗାଁକୁ ଯିବାକୁ ବାହାରିଲେ ମା’। ସ୍ନେହର ପରଶରେ, ମମତାର ମୋହରେ ବନ୍ଧା ସ୍କୁଲପଢୁଆ କିଶୋର ଛାଡ଼ିବାକୁ ବାହାରିଲା ଆପେ ଆପେ। ପୁଅ ଧରିଲା ସାଇକେଲ। ନିମିଷକରେ ପହଞ୍ଚିଗଲେ ବସ୍‌ଷ୍ଟପରେ। ଫେରିବାବେଳେ ରାସ୍ତାର ଏକ ମୋଡ଼ରେ ଦ୍ରୁତଗତିରେ ଆସୁଥିବା ଟ୍ରକ୍‌ ତଳେ ଚାପି ହୋଇଗଲା ପୁଅ ଆଖିପିଛୁଳାକେ। ଘଟଣା ସମ୍ପର୍କରେ ଜାଣିବା ପରେ ମା’ଙ୍କ ଆର୍ତ୍ତ ଚିତ୍କାରରେ ଫାଟିପଡ଼ିଲା ଘଟଣାସ୍ଥଳ। ମରଣ ସହ ସଂଘର୍ଷ କରୁଥିବା ପୁଅକୁ ବଞ୍ଚାଇବା ଲାଗି ଆକୁଳ ନିବେଦନ କଲା ସେ। ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ି ଓ ସମବେତ ଲୋକଙ୍କ ନିକଟରେ ନେହୁରା ହେଲା ନିଜ ପୁଅକୁ ଉଦ୍ଧାର କରିବା ଲାଗି। ଶେଷରେ ଉଦ୍ଧାର ହେଲା ପୁଅ। କିନ୍ତୁ ବିଳମ୍ବଜନିତ କାରଣରୁ ମା’କୁ ଚିରଦିନ ଛାଡି ଚାଲିଗଲା କିଶୋର ପୁଅ। ଏ ଯାଏ ପୁଅର ଜୀବନ ଲାଗି ସଂଗ୍ରାମ କରୁଥିବା ମା’ ଜୀବନର ନିଷ୍ଠୁର ସତ୍ୟକୁ ସାମ୍ନା କରିବା ପରେ ଚେତାଶୂନ୍ୟ ହୋଇଗଲା। ସେ ଜାଣିଗଲା ତା’ ଆଖି ସାମ୍ନାରେ ପୁଅ କୋଳ ଶୂନ୍ୟକରି ଭଗବାନଙ୍କ ପ୍ରିୟ ହୋଇଗଲା।
ଆଉ ଏକ ଦୃଶ୍ୟ। ୯୯ ବର୍ଷ ବୟସ୍କା ମା’ ହୀରାବେନ୍‌ ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’। ପୁତ୍ର ପ୍ରଚଣ୍ଡ ଜନାଦେଶ ପାଇ ଦ୍ୱିତୀୟଥର ନିର୍ବାଚିତ ହେବା ପରେ ମା’ଙ୍କ ଆଶୀର୍ବାଦ କାମନା ଲାଗି ଛୁଟିଗଲେ ଗାନ୍ଧୀନଗର। ଯାହାଙ୍କ ନିକଟରେ ସମସ୍ତେ ମଥାନତ ହେଉଛନ୍ତି, ସେ କିନ୍ତୁ ନତମସ୍ତକପୂର୍ବକ ମା’ଙ୍କ ପାଦ ଛୁଇଁ ଶୁଭାଶିଷ କାମନା କଲେ। ମା’ଙ୍କ ଶୁଭାଶିଷ ଯେ ଏକ ଶକ୍ତିଶାଳୀ ରକ୍ଷାକବଚ, ଏ କଥା ଚିର କାଳ ଭାରତୀୟ ସଂସ୍କୃତିରେ ପ୍ରମାଣିତ ହୋଇଆସିଛି। ମୁଣ୍ଡରେ ମା’ବାପାଙ୍କ ହାତ ଥିଲେ କାଳେ ଦୁନିଆର ସବୁ ଶକ୍ତିକୁ ପରାହତ କରାଯାଇପାରେ। ସମ୍ଭବତଃ ମହାଭାରତୀୟ ସଂସ୍କୃତିର ଏଇ ଗୌରବମୟ ପରମ୍ପରା ପୁଣି ଥରେ ପ୍ରମାଣିତ ହୋଇଛି। ଏଇ ମର୍ମକଥାକୁ ବୁଝିଛନ୍ତି ବୋଲି ହିଁ ସେ ପ୍ରତିଟି ଶୁଭକାମ ପୂର୍ବରୁ ମା’ଙ୍କ ଆଶୀର୍ବାଦ କାମନା କରିବାକୁ ଆଦୌ ଭୁଲନ୍ତି ନାହିଁ।
ତୃତୀୟ ଦୃଶ୍ୟ। ଡିଗିଡିଗା ଖରା। ନିଆଁ ବର୍ଷୁଛି। ଛାଇ ପାଇଁ ପଶୁପକ୍ଷୀ ବି କାତର। କିନ୍ତୁ ସ୍ବାମୀକୁ ହରାଇଥିବା ବୃଦ୍ଧା ମା’ ଅପେକ୍ଷାରତ ଘରର ଫାଟକ ସାମ୍ନାରେ। ବଡ଼ ପୁଅ ଗେଟ୍‌ ଖୋଲିଲେ ଘରକୁ ଯିବ। ହିସାବ ମୁତାବକ ମାସ ପୂରିଯିବା ପରେ ସାନ ପୁଅ ଆଣି ଛାଡିଦେଇଗଲା ଚୁପ୍‌ଚାପ୍‌ ବଡ଼ପୁଅର ଘର ସାମ୍ନାରେ। ବହୁ ନିବେଦନ ପରେ ବି ବ୍ୟାଙ୍କ ଚାକିରି କରୁଥିବା ବଡ଼ପୁଅ ଖୋଲୁ ନ ଥିଲା ଗେଟ୍‌। ଅସହାୟ ମା’ ଗଡ଼ଉଥିଲା ଲୁହ ଭୋକରେ ଓ କୋହରେ। ବୃଦ୍ଧା ମା’ ଶେଷରେ ଫାଟକ ସାମ୍ନାରେ ବସିଗଲା। ରାସ୍ତାରେ ଯାତାୟାତ ଲୋକଙ୍କ ତର ସହିଲାନି। ମା’ ପ୍ରତି ପୁଅମାନଙ୍କ ଅତ୍ୟାଚାରକୁ ସହି ପାରିଲେନି। ହସ୍ତକ୍ଷେପ କଲେ। ପୋଲିସକୁ ଖବର ଦେଲେ। ଗଣମାଧ୍ୟମ ସହଯୋଗର ହାତ ବଢ଼େଇଲା। ଜେଲଯିବା ଭୟରେ ଅମାନୁଷିକ ପୁଅଙ୍କ ଭିତରେ କଳିର ଆପାତତଃ ଲିଖିତ ସମାଧାନ ହେଲା। ବ୍ୟାଙ୍କ ଚାକିରିଆ ପୁଅ ମା’ର ଭରଣପୋଷଣ ଲାଗି ମାସିକ ଖର୍ଚ୍ଚ ଦେବ। ସାନପୁଅ ମା’ର ଦାୟିତ୍ୱ ନେବ।
ମା’କୁ ନେଇ ଏମିତି ଅନେକ ଦୃଶ୍ୟ ଆଜି ସମାଜରେ। ମା’ର ଅନେକ ରୂପ ଯାହାକୁ ଶବ୍ଦରେ ବାନ୍ଧିରଖିବା ସହଜ ନୁହେଁ। ପିଲା ପାଇଁ ସବୁ କିଛି କରିପାରେ ମା’। ଗର୍ଭଯନ୍ତ୍ରଣା ସହି ଜନ୍ମ ଦେଇଥିବା ମା’ ପୁଅର ଉଜ୍ଜ୍ୱଳ ଭବିଷ୍ୟତ କାମନାପୂର୍ବକ ବାର ଓଷା ତେର ପର୍ବ ପାଳନ କରେ। ଶୀତଳ ପଣତରେ ଘୋଡେଇ ରଖିବା ଲାଗି ଗାଁ ଠାକୁରାଣୀଙ୍କ ନିକଟରେ ଅଧିଆ ପଡେ। ନିଜ ପେଟ କାଟି ପୁଅର ପେଟ ଭରେ। ଘୋଡାମୁହାଁ ପୁଅର ସବୁ ଦୁର୍ଗୁଣକୁ ପଣତ କାନିରେ ଲୁଚାଇ ରଖି ସମାଜରେ ଭଲ ହେବାକୁ ତୁହାଇ ତୁହାଇ ବୁଝାଏ। ପୁଅ ମୁହଁରେ ଚେନାଏ ହସ ଓ ଖୁସି ଲାଗି ସମସ୍ତ ପ୍ରକାର ଉଦ୍ୟମ କରେ। ଅଥଚ ଆଜିର ଅନେକ ପୁଅ ମୁଣ୍ଡକୁ ହାତ ପାଇବା ପରେ ମା’କୁ ଭୁଲିଯାନ୍ତି। ମା’ ପ୍ରତି ଥିବା ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ଅଣଦେଖା କରନ୍ତି। ବାସ୍ତବରେ ମା’ ସବୁବେଳେ କ’ଣ ଚାହେଁ? ପୁଅର ସୁଖ, ଉଜ୍ଜ୍ୱଳ ଭବିଷ୍ୟତ, ନିଜ ଆୟୁଷ ନେଇ ପୁଅ ଯେପରି ଚିରଞ୍ଜୀବୀ ହୋଇ ରହେ। ପ୍ରତିବଦଳରେ ପରିଣତ ବୟସରେ ସ୍ବଚ୍ଛନ୍ଦରେ, ସମ୍ମାନରେ ନିଜ ଘରେ ରହିବାର ଅଭୀପ୍ସା। ବାସ୍‌ ଏଇ ସାମାନ୍ୟ ଇଚ୍ଛାକୁ ସମ୍ମାନ ଦେବାରେ ଆମର ଏତେ କାର୍ପଣ୍ୟ! ଏଇକ୍ରମରେ ଯେଉଁଠି ମା’ ନିଜ ପୁଅର ପ୍ରାଣ ଲାଗି ଆକୁଳ ନିବେଦନ କରେ, ବୟସ୍କ ପୁଅ ମୁଣ୍ଡରେ ବି ଆଶୀର୍ବାଦର ହାତ ରଖେ, ସେଇଠି ବି ଦେଖାଯାଏ କୃତଘ୍ନ ଭାବେ ମା’ର ସ୍ନେହଭରା ହୃଦୟକୁ ବିଦାରି ଦେଉଥିବା ବ୍ୟାଙ୍କ ଅଫିସର ଭଳି କୁଳଙ୍ଗାରମାନେ। ତଥାପି ମା’ ସର୍ବକାଳେ ମମତାରେ ଭରା। ଏଇ ମମତାର ଡାକକୁ ପଢ଼ିବାରେ ଓ ବୁଝିବାରେ ସନ୍ତାନଙ୍କର ତ୍ରୁଟି ରହିଯାଉଛି ନିଶ୍ଚିତ। କାରଣ ସବୁ ମା’ର ହୃଦୟ ଏକା ପ୍ରକାରର। କିନ୍ତୁ ବଦଳୁଥିବା ହୃଦୟ ହେଉଛି ପୁଅମାନଙ୍କର!
ଇନ୍ଦିରା ନଗର, ୪ର୍ଥ ଗଳି, ରାୟଗଡା, ମୋ – ୯୫୫୬୨୮୭୭୭୫, dwitisahu@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri