ମନମୁଖି ମହାସୁଲ ଆଦାୟ ଘଟଣା: ଦ୍ୱିତୀୟ ଦିନରେ ବ୍ୟବସାୟୀଙ୍କ ଧାରଣା

ରାଇରଙ୍ଗପୁର,୧୩ା୬(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସହରାଞ୍ଚଳସ୍ଥିତ ଦୈନିକ ମାର୍କେଟରେ ପନିପରିବା ସମେତ ବିଭିନ୍ନ ବ୍ୟବସାୟୀଙ୍କଠାରୁ ମନମୁଖି ମହାସୁଲ ଆଦାୟ ପ୍ରତିବାଦରେ ବ୍ୟବସାୟୀଙ୍କ ପକ୍ଷରୁ ଚାଲିଥିବା ଗଣଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି। ଫଳରେ ସ୍ଥାନୀୟ ଲୋକେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରଶାସନ ବ୍ୟବସାୟୀଙ୍କ ସହ ଏନେଇ ଆଲୋଚନା କରୁ ନ ଥିବାରୁ ଧାରଣା ଜାରି ରହିଥିତ୍ବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। ଲକ୍‌ଡାଉନ କଟକଣା ଯୋଗୁ ସ୍ଥାନୀୟ ବଡ଼ ବଜାର ଦୈନିକ ମାର୍କେଟକୁ ସତକୁଦର ନିକଟକୁ ସ୍ଥାନାନ୍ତରିତ କରାଯାଇଛି। ମହାସୁଲ ଆଦାୟକାରୀ ଜଣକ ଏଠାରେ ବ୍ୟବସାୟୀମାନଙ୍କଠାରୁ ମନଇଚ୍ଛା ମହାସୁଲ୍‌ ଆଦାୟ କରୁଥିବା ନେଇ ବ୍ୟବସାୟୀମାନେ ଅଭିଯୋଗ କରିଥିଲେ। ମାତ୍ର ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ବ୍ୟବସାୟୀ ସଂଘ ସଭାପତି ରାଜାରାମ ମହାନ୍ତ ଓ ସମ୍ପାଦକ ରଣଜିତ କୁମାର ବଳଙ୍କ ନେତୃତ୍ୱରେ ଶତାଧିକ ବ୍ୟବସାୟୀ ଗୁରୁବାର ଗଣଧାରଣାରେ ସାମିଲ ହୋଇଥିଲେ।