ମଧ୍ୟାହ୍ନରେ ଆରଟିଓ, ରାତିରେ ପୋଲିସ ପକ୍ଷରୁ ଯାଞ୍ଚ:ପ୍ରଥମ ଦିନରେ ୧୩ ହଜାର ଜରିମାନା ଆଦାୟ

ଅନୁଗୋଳ ଅଫିସ, ୩।୯

ଭାରତ ସରକାରଙ୍କ ସଂଶୋଧିତ ମୋଟରଯାନ ଆଇନ ସେପ୍ଟେମ୍ବର ପହିଲାରୁ ଲାଗୁ ହେଉ ହେଉ ଅନୁଗୋଳ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ସହରରେ ଯାଞ୍ଚ କଡ଼ାକଡ଼ି କରାଯାଇଛି। ରବିବାର ଏହି ଆଇନ ଉଲ୍ଲଂଘନ କରିଥିବା ୧୨ଜଣଙ୍କଠାରୁ ୧୩ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି। ମଧ୍ୟାହ୍ନରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ପରିବହନ ଅଧିକାରୀ ଜରିମାନା ଆଦାୟ କରିଥିବାବେଳେ ପୋଲିସ ବିଳମ୍ବିତ ରାତିରେ ଜରିମାନା ଆଦାୟ କରିଛି।
ଏହି ସଂଶୋଧିତ ମୋଟର ଯାନ ଆଇନ ୨୦୧୯ରେ ଜରିମାନାକୁ ବଢ଼ାଇ ଦିଆଯାଇଛି। ଏପରି କି ହାତ ରସିଦ ପରିବର୍ତ୍ତେ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟବସ୍ଥାରେ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି। ଆରଟିଓ କର୍ମଚାରୀଙ୍କ ସହ ଅନୁଗୋଳ ପୋଲିସ ଓ ତାଳଚେର ପୋଲିସକୁ ଏହି ଡିଜିଟାଲ ସ୍ବାଇପ ମେଶିନ୍‌ ପ୍ରଦାନ କରାଯାଇଛି। ଆଇନ ଉଲ୍ଲଂଘନକାରୀ ଚାଳକମାନେ ନଗଦ ନଚେତ କ୍ରେଡିଟ ଓ ଡେବିଟ୍‌ କାର୍ଡରେ ଜରିମାନା ଅର୍ଥ ପ୍ରଦାନ କରିପାରିବେ। ଏ ନେଇ ଚାଳକମାନଙ୍କୁ ରସିଦ୍‌ ମଧ୍ୟ ପ୍ରଦାନ କରାଯାଉଛି। ଏହା ନ ହେଲେ କଟାଯାଇଥିବା ରସିଦ୍‌ ଦେଖାଇ ୭ ଦିନ ମଧ୍ୟରେ ଥାନାରେ ଅଥବା ୧୩ ଦିନ ମଧ୍ୟରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଜରିମାନା ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏହା ନ ହେଲେ ଫଟୋ ପ୍ରମାଣ ସହ ଘରକୁ ପରିବହନ ବିଭାଗ ରସିଦ୍‌ ପଠାଇବ ବୋଲି ଜଣାପଡ଼ିଛି। ତେବେ ତାଳଚେର ଥାନାକୁ ପ୍ରଦାନ କରାଯାଇଥିବା ମେଶିନ୍‌ କାର୍ଯ୍ୟକାରୀ ହୋଇ ନାହିଁ। ଅନୁଗୋଳ ପୋଲିସ ରବିବାର ବିଳମ୍ବିତ ରାତିରେ କାଟିଥିବା ଜରିମାନା ମଧ୍ୟରୁ ୩ ଜଣ ବ୍ୟକ୍ତି ନଗଦ ଅର୍ଥ ଦେଇଥିବାବେଳେ ଜଣେ କାର୍ଡ ମାଧ୍ୟମରେ ପ୍ରଦାନ କରିଥିଲେ। ଅନ୍ୟ ୪ ଜଣ ଥାନାରେ ଆଣି ପ୍ରଦାନ କରିବେ ବୋଲି କହିଥିଲେ। ଅନୁଗୋଳ ଏସ୍‌ଡିପିଓ ଅଶ୍ୱନୀ ସାହୁ, ଥାନା ଅଧିକାରୀ ରମେଶଚନ୍ଦ୍ର ବିଶୋଇ, ଆରଆଇ ସୁଶାନ୍ତ ସାହୁଙ୍କ ସହ ଥାନାର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।