ମଧ୍ୟାହ୍ନଭୋଜନ ଚାଉଳରେ ମୂଷାଲଣ୍ଡି

ଦାରିଙ୍ଗବାଡ଼ି,୫।୨(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ହାଇସ୍କୁଲରେ ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ମାତ୍ର ସର୍ବଶିକ୍ଷା ଅଭିଯାନ ପକ୍ଷରୁ କେବଳ ଅଷ୍ଟମର ୧୫୦ ଜଣ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଥିବାବେଳେ ହଷ୍ଟେଲରେ ୧୦୦ ଛାତ୍ରୀଙ୍କୁ ନିୟମ ପ୍ରକାରେ ଖାଇବା ମିଳୁଛି। ଏଥିସହ ମାଗଣା ଶିକ୍ଷା, ସ୍ବାସ୍ଥ୍ୟପରୀକ୍ଷା ସହ ସାମାଜିକ ସୁରକ୍ଷା ଦାୟିତ୍ୱକୁ ସରକାର ଗୁରୁତ୍ୱ ଦେଇଛନ୍ତି। ତେବେ କିଛି କର୍ତ୍ତୁପକ୍ଷଙ୍କ ଦାୟିତ୍ୱହୀନତା ଯୋଗୁ ଏଥିରେ ବିଭ୍ରାଟ ଦେଖାଦେଉଛି।
ଏହି ବିଦ୍ୟାଳୟରେ ଚାଉଳ ସମେତ ପନିପରିବା ଆଦି ସୁରକ୍ଷିତ ସ୍ଥାନରେ ରଖାଯାଉନାହିଁ। ଅଫିସ ଗୃହ ମଧ୍ୟରେ ଚଟାଣରେ ଦୂଷିତ ପରିବେଶରେ ରଖାଯାଉଥିବାବେଳେ ଚାଉଳବସ୍ତା ଗୁଟିକ ଫୁଟି ତଳେ ଗଦା ହୋଇଛି। ମୂଷା ଚାଉଳ ସହ ପନିପରିବା, ଆଳୁ ଆଦି ଖାଇ ଖଣ୍ଡିଆ କରିଦେଇଛନ୍ତି। ଏହାକୁ ରାନ୍ଧି ଛାତ୍ରୀଛାତ୍ରଙ୍କୁ ଦିଆଯାଉଛି। ‘କରୋନା’ ନେଇ ଜିଲାପ୍ରଶାସନ ସଚେତନ କରୁଥିବାବେଳେ ଦୁର୍ଗମ ଅଞ୍ଚଳ ଗଦାପୁର ହାଇସ୍କୁଲରେ ଏପରି ନିମ୍ନମାନର ଖାଦ୍ୟ ଦିଆଯାଉଥିବାରୁ ଅସନ୍ତୋଷ ଦେଖା ଦେଇଛି।
ଏନେଇ ପ୍ରଧାନ ଶିକ୍ଷକ ପ୍ରଭାକର ବେହରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ସହ ଗୋଦାମ ଗୃହ ନାହିଁ। ବାଧ୍ୟ ହୋଇ ଚାଉଳ ଏବଂ ପନିପରିବା ନିଜ କାର୍ଯ୍ୟାଳୟ ଭିତରେ ରଖୁଛି। ଏନେଇ ସେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସମେତ ପ୍ରଶାସନ ଏବଂ ଜିଲା ପ୍ରଶାସନକୁ ବହୁବାର ଜଣାଇସାରିଛି। ମାତ୍ର ସୁଫଳ ମିଳୁନାହିଁ ବୋଲି କହିଥିଲେ। ଶୀଘ୍ର ଏହାକୁ ସେ ସଫେଇ କରିଦେବେ ବୋଲି କହିଥିଲେ।
ଏନେଇ ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତ କହିଛନ୍ତ ଯେ, ବିଭିନ୍ନ ବିଦ୍ୟାଳୟରେ ଗୋଦାମ ଗୃହର ଅଭାବ ରହିଛି। ତେଣୁ କାର୍ଯ୍ୟାଳୟ ଭିତରେ ଚାଉଳ ରଖାଯାଉଛି। କିନ୍ତୁ ତାକୁ ସୁରକ୍ଷିତ ଭାବେ ରଖାଯାଉ ନ ଥିଲେ ତଦନ୍ତ କରି ଖିଲାପକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନିଆଯିବ।