ମଦ ପିଇ ସ୍କୁଲକୁ ଆସିଲେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ, ଯାଇପାରେ ଚାକିରି: ମନ୍ତ୍ରୀ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ମଦ ପିଇ ସ୍କୁଲକୁ ଆସିଲେ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଓସିଏସ୍‌(ସିସିଏ ରୁଲ୍‌ସ)୧୯୬୨ ରୁଲ-୧୬ ଅନୁଯାୟୀ ସେମାନଙ୍କୁ ବହିଷ୍କାର କରାଯାଇପାରେ। କୌଣସି ପରିସ୍ଥିତିରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ଭବିଷ୍ୟତ ସହ ଖେଳୁଥିବା ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକଳାପଙ୍କୁ ବରଦାସ୍ତ କରାଯିବ ନାହିଁ। କ୍ୟାମ୍ପସ୍‌ରେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ସର୍ବଦା ଗୁରୁତ୍ୱ ଦିଆଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

ପ୍ରକାଶଯୋଗ୍ୟ, ଯାଜପୁର ଜିଲା ସୁକିନ୍ଦା ବ୍ଲକ ଲେମ୍ବୋ ପଞ୍ଚାୟତ ଅନ୍ତର୍ଗତ ବାଲିଆ ପ୍ରାଥମିକ ସ୍କୁଲାରେ କାର୍ଯ୍ୟରତ ଗଣଶିକ୍ଷକ ମକରନ୍ଦ ମହନ୍ତ ନିଶାସକ୍ତ ଅବସ୍ଥାରେ ଛାତ୍ରୀଛାତ୍ରଙ୍କୁ ରାସ୍ତା ମଝିରେ ଆଣ୍ଠେଇବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାକୁ ନେଇ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ତେବେ ଆଗକୁ ଯଦି କୌଣସି ସ୍ଥାନରେ ଛାତ୍ରୀଛାତ୍ରଙ୍କ ଅଧିକାର ଓ ସୁରକ୍ଷା ବାଧାପ୍ରାପ୍ତ ହେବା ଦୃଷ୍ଟିକୁ ଆସେ, ତେବେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲା ଶିକ୍ଷାଧିକାରୀଙ୍କୁ କୁହାଯାଇଛି।