ମଦ ପିଇ ମା’ଙ୍କ ଜୀବନଗଲା, ପୁଅ ଗୁରୁତର

ବଡ଼ଗାଁ,୨୬।୭(ଡି.ଏନ୍‌.ଏ.): ରାଜ୍ୟରେ ମଦ ବିକ୍ରେତାଙ୍କୁ ପୁରସ୍କୃତ କରାଯିବା ପ୍ରସଙ୍ଗ ନେଇ ନବୀନ ସରକାରଙ୍କୁ ବିରୋଧୀ ସମାଲୋଚନା କରିଥିବାବେଳେ ମଦ ବିରୋଧୀ ସଂଗଠନ, ଗାଁ ଗହଳିର ମହିଳାମାନେ ଆନ୍ଦୋଳନ କରିଆସୁଛନ୍ତି। ତଥାପି ଲୋକେ ସଚେନତନ ହେଉନାହାନ୍ତି। ଫଳରେ ମଦ ଯୋଗୁ ଅନେକ ପରିବାର ଉଜୁଡ଼ିଯାଉଛି। ଏପରି ଏକ ଘଟଣା ଦେଖିବାକୁ ମିିଳିଛି ସୁନ୍ଦରଗଡ଼ ଜିଲା ବଡ଼ଗାଁର ଲିଟିପଡ଼ାରେ। ଏହି ଗାଁରେ ଦେଶୀ ମଦ ପିଇ ଗୋଟିଏ ପରିବାର ଉଜୁଡ଼ି ଯିବା ଭଳ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ମଦ ପିଇ ଲିଟିପଡ଼ାରେ ଗତ ୫ ବର୍ଷ ମଧ୍ୟରେ ୭ରୁ ଊର୍ଦ୍ଧ୍ୱ ମୃତ୍ୟୁ ଘଟିଥିବାବେଳେ ଗୁରୁବାର ରାତିରେ ଫୁଲ ହାଁସଦା (୫୫)ଙ୍କ ମଦ ଜନିତ ମୃତ୍ୟୁ ଘଟିଛି। ସେହିପରି ତାଙ୍କ ପୁଅ ଦେବରାଜ ହାଁସଦା(୨୫) ମଦ ପିଇ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ବଡ଼ଗାଁ ଡାକ୍ତରଖାନାରେ ଚିକିତ୍ସା ପରେ ଶୁକ୍ରବାର ପୂର୍ବାହ୍ନରେ ସୁନ୍ଦରଗଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଗତବର୍ଷ ଦେବରାଜଙ୍କ ପିତା ଡେରିହା ହାଁସଦାଙ୍କ ମଧ୍ୟ ମଦମୃତ୍ୟୁ ଘଟିଥିଲା।