ମଦ ଦୋକାନକୁ ସିଲ୍‌ କଲା ଅବକାରୀ ବିଭାଗ

ଉଦଳା,୧।୪(ଡି.ଏନ୍‌.ଏ.)- ଲକ୍‌ଡାଉନ ସମୟରେ ମଦ ଦୋକାନ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସିଲ୍‌ ଭାଙ୍ଗି ଚୋରା ମଦ କାରବାର ଚାଲିଥିଲା। ଅବକାରୀ ବିଭାଗ ଚଢାଉ କରି ଏହି ମଦ ଦୋକାନକୁ ପୁଣି ସିଲ୍‌ କରି ଦେଇଥିବା ଜଣାପଡ଼ିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଉଦଳା ମଠସାହି ଛକ ନିକଟରେ ା ସୂଚନା ଅନୁଯାୟୀ, ଉଦଳା-କପ୍ତିପଦା ରାସ୍ତାର ମଠସାହି ଛକ ନିକଟରେ ଥିବା ମଦ ଦୋକାନକୁ ଲକ୍‌ ଡାଉନ ଆରମ୍ଭ ସମୟରେ ଅବକାରୀ ବିଭାଗ ସିଲ୍‌ କରିଥିଲା ା ହେଲେ ଉକ୍ତ ସିଲ୍‌କୁ ଭାଙ୍ଗି ଦୋକାନୀ ଜଣକ ଚୋରା ମଦ କାରବାର କରୁଥିଲେ। ବିଶେଷସୂତ୍ରରୁ ଖବର ପାଇ ଉଦଳା ଅବକାରୀ ବିଭାଗ ଚଢାଉ କରି ଉକ୍ତ ଦୋକାନକୁ ଦ୍ୱିତୀୟ ଥର ପାଇଁ ସିଲ୍‌ କରିଛି। ଏହି ସମୟରେ କାରବାର ହେଉଥିବା ବିପୁଳ ପରିମାଣର ବିଦେଶୀ ମଦକୁ ଅବକାରୀ ବିଭାଗ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ଅବକାରୀ ବିଭାଗ କହିଛି।