ମଦ କାରବାର: ଢାବା ମାଲିକଙ୍କ ସମେତ ୨ ଗିରଫ

ନୂଆଗାଁ,୨୩।୮(ଡି.ଏନ.ଏ.)-ନୟାଗଡ ଜିଲା ନୂଆଗାଁ ଥାନା ଅଞ୍ଚଳରେ ଅବାଧରେ ନିଶା କାରବାର ବଢିଚାଲିଥିବା ବେଳେ ତାହାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ତରଫରୁ ବୁଧବାର ରାତି ଅଧିଆ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ପୋଲିସ ଦୁଇ ମଦ ବେପାରୀଙ୍କୁ ଗିରଫ କରିଛି । ସେମାନେ ହେଲେ ନୂଆଗାଁ ବ୍ଲକ ଅଫିସ ନିକଟରେ ଥିବା ଜନପଥ ଢାବାର ମାଲିକ ଭାଗୀରଥି ସାହୁ ଓ କାଣୀଗିରି ଗ୍ରାମର ଦାମୋଦର ସାହୁ ।
ହୋଟେଲ କିମ୍ବା ଢାବା ରାତି ୧୧ଟା ପରେ ଖୋଲି ପାରିବେ ନାହିଁ ଏବଂ ଖୋଲିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୂଆଗାଁ ଥାନା ଆଇଆଇସି ମନୋରମା ମଲିକ ଢାବା ମାଲିକମାନଙ୍କୁ ପୂର୍ବରୁ ତାଗିଦ କରିଥିଲେ । କିନ୍ତୁ ତାହାର କୌଣସି ପ୍ରଭାବ ପଡି ନ ଥିଲା । ଢାବାଗୁଡିକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବା ସହ ଖୋଲାଖୋଲି ମଦ ବେପାର ଜାରି ରହିଥିଲା। ଏ ସମ୍ପର୍କରେ ନୟାଗଡ ଏସଡିପିଓ ନିରଞ୍ଜନ ପାଢୀ ଜାଣିବା ପରେ ବୁଧବାର ବିଳମ୍ବିତ ରାତି ୧ଟାରେ ନୟାଗଡ ଥାନା ଓ ନୂଆଗାଁ ଥାନା ପୋଲିସ ମିଳିତ ଭାବେ ଢାବାରେ ଚଢଉ କରିଥିଲେ। ସେମାନେ ଜନପଥ ଢାବାରୁ ୬.୮୪ଲିଟର ବିଦେଶୀ ମଦ ଜବତ କରିବା ସହ ଢାବା ମାଲିକ ଭାଗୀରଥିଙ୍କୁ ଗିରଫ କରିଥିଲେ । ସେହିପରି କାଣିଗିରି ଗ୍ରାମରେ ଚଢାଉ କରି ରନ୍ଧା ହୋଇ ବିକ୍ରୀ ଉଦ୍ଦେଶ୍ୟରେ ରହିଥିବା ୧୦ ଲିଟର ଦେଶୀ ମଦ ଜବତ କରିବା ସହ ଦାମୋଦରଙ୍କୁ ଗିରଫ କରିଛି। ଉଭୟଙ୍କ ନାମରେ ନଂ୬୨/୧୯ ଓ ୬୩/୧୯ରେ ମାମଲା ରୁଜୁ କରି ଉଭୟଙ୍କୁ ଗୁରୁବାର କୋର୍ଟଚାଲଣ କରାଯାଇଥିବା ନୟାଗଡ ଏସଡିପିଓ ପାଢୀ ସୂଚନା ଦେଇଛନ୍ତି।