ମଦ ଉପରେ ଲାଗିଲା ୫୦% ‘କୋଭିଡ ଫି’: ୬ ଘଣ୍ଟାରେ ପାଇବେ ହୋମ୍‌ ଡେଲିଭରି

ଭୁବନେଶ୍ୱର,୨୩।୫(ବ୍ୟୁରୋ): ରବିବାରଠାରୁ ଅନ୍‌ଲାଇନ୍‌ରେ ମଦ ମିଳିବାନେଇ ରାଜ୍ୟ ସରକାର ଶନିବାର ଅନୁମତି ଦେଇଛନ୍ତି। ଅନ୍‌ ଓ ଅଫ୍‌ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମଦ ହୋମ୍‌ ଡେଲିଭରି କରିପାରିବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ବ୍ୟତିତ ଅନ୍ୟ ସବୁଠାରେ ହୋମ୍‌ ଡେଲିଭରି କରାଯିବ। ହେଲେ ବିଦେଶୀ ମଦ ଓ ବିୟର ଉପରେ କୋଭିଡ ଫି’ ଲଗାଇଛନ୍ତି ସରକାର। ଯାହା ଏମ୍‌ଆର୍‌ପି ଅଛି, ତା ଉପରେ ୫୦% କୋଭିଡ ଫି’ ଲାଗିବ। ଏହି ଫି’ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚରେ ଲାଗିବ। ଅନ୍‌ ଓ ଅଫ୍‌ ଲାଇସେନ୍ସ ପ୍ରାପ୍ତ ଦୋକାନ ଅର୍ଡର ପାଇଁ ଡିସ୍‌ପ୍ଲେ ରଖିବେ। ଡିସ୍‌ପ୍ଲେରେ ଫୋନ୍‌ ନଂ, ହ୍ବାଟ୍ସଆପ୍‌ ନଂ,ଇମେଲ୍‌ ଆଇଡି ରହିବ। ଦୋକାନ ବାହାରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ରହିବ। ଏହାଛଡ଼ା ଓଏସ୍‌ବିସି ଓ୍ବେବ୍‌ସାଇଟ୍‌ (osbs.co.in)ରେ ଜିଲାଓ୍ବାରୀ ତଥ୍ୟ ରହିବ। ସମସ୍ତ ପ୍ରକାର ପ୍ରଡକ୍ଟର ମୂଲ୍ୟ ମଧ୍ୟ ଓ୍ବେବ୍‌ସାଇଟ୍‌ରେ ରହିବ। ଏସ୍‌ଏମ୍‌ଏସ୍‌, ହ୍ବାଟ୍ସଆପ୍‌, ଇ-ମେଲ୍‌ ଜରିଆରେ ରିଟେଲର ଅର୍ଡର ରଖିବେ। ୧ ହଜାର ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ପାଇଁ ୧୦୦ ଟଙ୍କା ଚାର୍ଜ ପଡ଼ିବ। ତାପରେ ପ୍ରତି ୫ଶହ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ପଡ଼ିବ। ହୋମ୍‌ ଡେଲିଭରି ଚାର୍ଜ ୩ ଶହ ଟଙ୍କାରୁ ଅଧିକ ହୋଇପାରିବ ନାହିଁ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ହୋମ୍‌ ଡେଲିଭରି ହେବ। ଅର୍ଡର କରିବାରେ ୬ ଘଣ୍ଟା ମଧ୍ୟରେ ହୋମ୍‌ ଡେଲିଭରି ଦିଆଯିବ ବୋଲି ସୂଚନା ମିଳିଛି।