ମଦ୍ୟପ ସ୍ବାମୀଙ୍କ ନୃଶଂସକାଣ୍ଡ: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ଶାଶୁ ଗୁରୁତର

ପରଜଙ୍ଗ, ୮।୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ପଙ୍ଗାତୀରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଛି। ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଶାଶୁ ଗୁରୁତର ହୋଇଛନ୍ତି। ହତ୍ୟାକାଣ୍ଡ ପଛର କାରଣ ସ୍ବାମୀଙ୍କ ଅନୈତିକ ସମ୍ପର୍କ ବୋଲି କୁହାଯାଉଛି। ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏ ନେଇ ମୃତ ମହିଳାଙ୍କ ବାପା କୃଷ୍ଣଚନ୍ଦ୍ର ସାହୁଙ୍କ ଅଭିଯୋଗକ୍ରମେ ନଂ.୨/୨୦ରେ ହତ୍ୟା ମାମଲା ରୁଜୁ ହୋଇଛି।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଙ୍ଗାତୀରା ଗ୍ରାମର ଲଳିତ ସାହୁଙ୍କ ସହ ସେହି ଗ୍ରାମର ମିତା ସାହୁ (୨୨)ଙ୍କ ୩ବର୍ଷ ତଳେ ବିବାହ ହୋଇଥିଲା। ହେଲେ ଲଳିତଙ୍କ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାକୁ ନେଇ ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି ହୋଇଥିଲା। ଏହି ଘଟଣାକୁ ନେଇ ଅଧିକାଂଶ ସମୟ ମିତା ଏବଂ ଲଳିତଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଫଳରେ ମିତା ବାପଘରେ ଆସି ରହୁଥିଲେ। ସୋମବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଲଳିତ ଶ୍ୱଶୁର ଘରେ ପହଞ୍ଚତ୍ଥିଲେ। ଶାଶୁ ଗେଲ ସାହୁ କବାଟ ଖୋଲିବା ବେଳେ ଲଳିତ ଏକ ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ପରେ ମିତା ଶୋଇଥିବା ଘରେ ପଶି ତାଙ୍କୁ ନିର୍ମମ ଭାବେ ହାଣି ପକାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ଗେଲଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ, ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛି। କାମାକ୍ଷାନଗର ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ଘଟଣାର ତଦନ୍ତ ଭାର ପରଜଙ୍ଗ ଥାନାଅଧିକାରୀ ବିଜୟ କୁମାର ହାଇବ୍ରୁଙ୍କୁ ଦିଆଯାଇଛି। ଏ ନେଇ ଫାଣ୍ଡି ଅଧିକାରୀ ବିନୟ କୁମାର ସାହୁ କୁହନ୍ତି, ଘଟଣା ସମ୍ବେଦନ ଥିବାରୁ ସନ୍ଧ୍ୟାରେ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ତଦନ୍ତ କରିଛନ୍ତି। ସନ୍ଧାନୀ କୁକୁର ଅଭିଯୁକ୍ତଙ୍କ ଘରକୁ ସିଧା ଯାଇ ପହଞ୍ଚତ୍ଥିଲା। ଅଭିଯୁକ୍ତ ସ୍ବାମୀଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି।