ମଣିଷ ଖିଆ ବାଘ ହାବୁଡ଼ରେ ପଡ଼ିଗଲେ ଫଳ ଆଣିିବାକୁ ଯାଇଥିବା ମହିଳା, ତାପରେ…

ତରବୋଡ/ନୂଆପଡ଼ା ଅଫିସ,୧୧।୨: ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡା ପଞ୍ଚାୟତ ଛୋଟଲୋର୍ରା ଗାଁର ଜଣେ ମହିଳାଙ୍କୁ ବାଘ ଆକ୍ରମଣ କରି ଖାଇଦେଇଥିବା ଗ୍ରାମବାସୀ କହିଛନ୍ତି। ଗୁରୁବାର ସକାଳେ ଛୋଟଲୋର୍‌ରା  ଗାଁର ଭାନବାଇ ମାଝି (୪୭)ଙ୍କ ସହିତ ୩ଜଣ ମହିଳା ପାଖ ଜଙ୍ଗଲକୁ ଭେଲୁଆ ଫଳ ତୋଳିବାକୁ ଯାଇ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ପରିବାର ଲୋକଙ୍କ ସହ ଗ୍ରାମବାସୀ ଖୋଜିବାକୁ ଜଙ୍ଗଲକୁ ଯାଇଥିଲେ। ସେହିସମୟରେ ୩ଜଣ ମହିଳା ଗଛ ଉପରେ ଚଢ଼ି ରହିଥିଲେ। ତାଙ୍କୁ ଉଦ୍ଧାର କରି ଥିବା ବେଳେ ଅନ୍ୟ ଜଣେ ମହିଳାଙ୍କୁ ବାଘ ଖାଉଥିବା ଦେଖି ଫେରି ଆସିଥିଲେ। ଗ୍ରାମବାସୀ ବନ ବିଭାଗ ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ ମଧ୍ୟ କୌଣସି ଅଧିକାରୀ ଘଟଣାସ୍ଥଳକୁ ଯାଇ ନ ଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ନୂଆପଡା ବନାଞ୍ଚଳ ରେଞ୍ଜର ବିନିତା ଭୋଇଙ୍କୁ ପଚାରିବାରୁ ସମ୍ପୂର୍ଣ୍ଣ ଖବର ଆସିନାହିଁ। ତଦନ୍ତ ପରେ ଜଣାପଡିବ ବୋଲି କହିଥିଲେ। ସୂଚନାଯୋଗ୍ୟ ଯେ, ଜିଲାର ସୁନାବେଡା ଅଭୟାରଣ୍ୟ ଗୋଡା ପାହାଡକୁ ଲାଗି ଥିବା ହଳଦୀଗଁାରେ ୨୦୧୭ ମେ ୨୬ ତାରିଖ ବିଳମ୍ବିତ ରାତିରେ ମା’ କେତକୀ ପାଣ୍ଡେଙ୍କ ୩ ବର୍ଷର ଶିଶୁପୁତ୍ର ଛଗନଲାଲକୁ ବାଘ ଟେକି ନେଇ ଖାଇ ଦେଇଥିଲା। ୨୦୧୭ ଜୁନ ୧୦ରେ ଆଈ -ନାତୁଣୀ ଧାନବାଇ ପାଣ୍ଡେ (୬୦), ଚନ୍ଦ୍ରିକା ପାଣ୍ଡେ (୧୩)କୁ ବାଘ ଆକ୍ରମଣ କରି ଲହୁଲୁହାଣ କରିଥିଲା। ଗ୍ରାମବାସୀଙ୍କ  ଅଭିଯୋଗ ପରେ ବନ ବିଭାଗ ୨ଟି ବାଘକୁ ଧରି ନନ୍ଦନକାନନରେ ଛାଡିଥିଲା।