ମଣିଷର ବଡ଼ ଶତ୍ରୁ

ଉପେନ୍ଦ୍ର ବିଶ୍ୱାଳ
ସ୍ବର୍ଗ ଓ ନର୍କର ପାର୍ଥକ୍ୟ ଜାଣିବାକୁ ଇଚ୍ଛା କରି ଜନୈକ ଯୁବକ ଆସି ପହଞ୍ଚତ୍ଲେ ଜଣେ ସାଧୁଙ୍କ ଆଶ୍ରମରେ। ସାଧୁଙ୍କୁ ପ୍ରଣାମ କରି ଆସିବାର ଅଭିପ୍ରାୟ ଜଣାଇଲେ। ଆପାଦ-ମସ୍ତକ ନିରୀକ୍ଷଣ କରି ସାଧୁ ପଚାରିଲେ, ”ବତ୍ସ, ତୁମର ବୃତ୍ତି କ’ଣ?“ ସ୍ପର୍ଦ୍ଧିତ ଶବ୍ଦରେ ଉତ୍ତର ଦେଲେ ଯୁବକ ”ମୁଁ ଜଣେ ବୀର ଯୋଦ୍ଧା।“ କଟାକ୍ଷ କରି ସାଧୁ କହିଲେ- ଜଣେ ଭୀରୁ କ’ଣ କେବେ ଯୋଦ୍ଧା ହୋଇପାରେ? ତୁମପରି ବ୍ୟକ୍ତିଙ୍କୁ ଯେଉଁ ରାଜା ନିଜ ସେନାରେ ନିଯୁକ୍ତି ଦେଇଛନ୍ତି, ସେ ନିଶ୍ଚିତଭାବେ ଜଣେ ମୂର୍ଖ ହୋଇଥିବେ। କିଏ ସେ ରାଜା ଏବଂ କେଉଁ ରାଜ୍ୟର ସେ? ସେତେବେଳକୁ ଯୋଦ୍ଧାଙ୍କ ହାତ ଯାଇ ପହଞ୍ଚତ୍ ଯାଇଥାଏ, ତଲୱାର ପାଖରେ। ଏହାକୁ ଲକ୍ଷ୍ୟ କରି ସାଧୁ ପୁଣି କହିଲେ- ତୁମେ ତଲୱାର ବି ସାଥିରେ ରଖିଛ? ତାହା ଏକ ଖେଳନା ନା ଅସଲରେ ତା’ର କିଛି ତାକତ ଅଛି? ଏତିକିରେ ଯୋଦ୍ଧାଙ୍କୁ ଆଉ କିଏ ସମ୍ଭାଳେ! ତଲୱାରଟିକୁ ତୁରନ୍ତ ବାହାର କରି ସାଧୁଙ୍କ ଆଡ଼କୁ ଆଗେଇ ଯିବାବେଳକୁ ଖୁବ୍‌ ଜୋରରେ ହସି ଉଠିଲେ ସାଧୁ। କହିଲେ- ବାଃ, ବାଃ! ଏତେ ଶୀଘ୍ର ନରକରେ ଆସି ପହଞ୍ଚତ୍ଗଲ? …ଉଠିଥିବା ହାତରୁ ସ୍ବତଃ ଖସିପଡ଼ିଛି ତଲୱାରଟି। ସେତିକିରେ ସଂଜ୍ଞା ଫେରି ପାଇ, ସାଧୁଙ୍କ ଗୋଡ଼ତଳେ ପଡ଼ି ଯାଇଛନ୍ତି ଯୁବକ। ଶ୍ରଦ୍ଧାରେ ସୈନିକଙ୍କ ଶିର ସ୍ପର୍ଶ କରି ସାଧୁ କହିଲେ- ଏବେ ବୁଝିଲ ତ, ସ୍ବର୍ଗ ଓ ନର୍କର ପାର୍ଥକ୍ୟ କ’ଣ? ଯେବେ ଭୟଙ୍କର କ୍ରୋଧରେ, ହାତରେ ଅସ୍ତ୍ର ଧରି ଆଗେଇ ଆସୁଥିଲ, ସେତେବେଳେ ତୁମେ ଥିଲ ନର୍କରେ। ଆଉ, ଚେତନାର ଉଚ୍ଚସ୍ତରକୁ ଯାଇ ଯେବେ ଶାନ୍ତ ହୋଇଗଲ, ସେତେବେଳେ ତୁମେ ସ୍ବର୍ଗରେ ପହଞ୍ଚତ୍ଗଲ। ଅର୍ଥାତ୍‌ କ୍ରୋଧ ହେଉଛି ନରକର ଦ୍ୱାର ଓ ଶାନ୍ତ ଅବସ୍ଥା ହେଉଛି ସ୍ବର୍ଗର ସୋପାନଟିଏ।
କ୍ରୋଧ ଏକ ଆସୁରିକ ଭାବ, ଯାହା ମଣିଷର ଚିନ୍ତା ଓ ଭାବନାକୁ ବିଷାକ୍ତ କରିଦିଏ। ମଣିଷକୁ ଅପରାଧୀ ବନାଇଥାଏ। ମଣିଷର ବିକୃତ ମାନସିକତାରୁ ଏହା ସୃଷ୍ଟ। କ୍ରୋଧ ଏପରି ଏକ ବିକାର ଯାହା ଅନେକ ପ୍ରକାର ବେମାରିକୁ ଜନ୍ମ ଦେଇଥାଏ। ଏହା ଏପରି ଏକ ଭୟଙ୍କର ଅନଳ ଯାହା ପ୍ରଥମେ ନିଜକୁ, ତା’ପରେ ଅପରକୁ ଜାଳିପୋଡ଼ି ନଷ୍ଟ କରିଦିଏ। ମନରେ କ୍ରୋଧ ଜାତ ହେଲେ ମଣିଷ ମୂଢ଼ମତି ହୋଇଯାଏ। ଠିକ୍‌ ନିଷ୍ପତ୍ତି ନେଇ ନ ପାରି ଭୁଲ କରିବସେ। ହିତାହିତ ଜ୍ଞାନ ଭୁଲି ସଇତାନ ପାଲଟିଯାଏ। ପାଣିକୁ ଗରମ କଲେ ଯେମିତି ଫୁଟିବାକୁ ଲାଗେ ଓ ସେଥିରୁ ବାମ୍ଫ ବାହାରେ, ସେମିତି କ୍ରୋଧ ଜାତ ହେଲେ ଶରୀରର ଜ୍ୱଳନ ହୁଏ ଓ ତାପମାତ୍ରା ବୃଦ୍ଧି ଘଟିଥାଏ। କ୍ଷୀର ଉତୁରିଲେ ସର ବା ମଲେଇ ଯେମିତି ବାହାରେ ପଡ଼ି ନଷ୍ଟ ହୋଇଯାଏ, ସେମିତି କ୍ରୋଧ ସମୟରେ ଶରୀରର ଅନେକ ଊର୍ଜ୍ଜା ନଷ୍ଟ ହୋଇଥାଏ। ଚିକିତ୍ସା ବିଜ୍ଞାନାନୁଯାୟୀ କ୍ରୋଧ ଯୋଗୁ ଉଚ୍ଚ ରକ୍ତଚାପ, ଚର୍ମରୋଗ, ମୁଣ୍ଡବିନ୍ଧା, ମାନସିକ ଅବସାଦ, କର୍କଟ, ହୃଦ୍‌ଘାତ ଆଦି ଅନେକ ରୋଗ ଦେଖା ଦିଏ। କୁହାଯାଏ ଯେଉଁଠାରେ କ୍ରୋଧିତ ବ୍ୟକ୍ତିଟି ଥାଏ ସେଠାରେ ପାଣି ମାଠିଆ ବି ଶୁଖିଯାଏ। ଏହି କ୍ରୋଧ ବ୍ରହ୍ମର୍ଷି ହେବାରେ ପ୍ରତିବନ୍ଧକ ସାଜିଥିଲା ରାଜର୍ଷି ବିଶ୍ୱାମିତ୍ରଙ୍କର। ବ୍ରହ୍ମର୍ଷି ବଶିଷ୍ଠଙ୍କ ଶହେ ପୁତ୍ରଙ୍କୁ ହତ୍ୟା କରି ସାରିଲା ପରେ ମଧ୍ୟ କ୍ରୋଧ ପ୍ରଶମିତ ହେଉ ନ ଥାଏ ବିଶ୍ୱାମିତ୍ରଙ୍କର। ଶେଷରେ ବଶିଷ୍ଠଙ୍କୁ ମାରିବାକୁ ବଶିଷ୍ଠମାରଣ ଯଜ୍ଞ କଲେ ଏବଂ ପୁରୋହିତ ନ ମିଳିବାରୁ ସେହି ବଶିଷ୍ଠଙ୍କୁ ହିଁ ପୁରୋଧା ଭାବେ ନିମନ୍ତ୍ରଣ କଲେ। ଉଦାରଚେତା ବ୍ରହ୍ମର୍ଷି ନିଜ ମୃତ୍ୟୁ ପାଇଁ ହେଉଥିବା ଯଜ୍ଞରେ ବି ପୁରୋହିତ କାର୍ଯ୍ୟ କରିବାକୁ ସମ୍ମତ ହେଲେ। ପୂର୍ଣ୍ଣାହୂତିର ପୂର୍ବ ରାତ୍ରିରେ ଗଛ ଆଢ଼ୁଆଳରେ ଥାଇ ଶୁଣିବାକୁ ପାଇଛନ୍ତି ବଶିଷ୍ଠଙ୍କ ମୁଖରୁ ନିଜର ପ୍ରଶସ୍ତି। ‘ମୁଁ ଯାହାର ଏତେ କ୍ଷତି କରିଛି, ଯାହାର ସମସ୍ତ ପୁତ୍ରଙ୍କୁ ମାରି ତାଙ୍କୁ ମଧ୍ୟ ମାରିବା ପାଇଁ ଏଠିକି ଆଣିଛି, ସେ ପୁଣି ମୋର ପ୍ରଶଂସା କରୁଛନ୍ତି! ମୋ ଭିତରେ ଥିବା ଖରାପ ଗୁଣ ତାଙ୍କୁ ଦେଖାଯାଉ ନାହିଁ, ମୋର କେବଳ ଭଲ ଗୁଣକୁ ହିଁ ଦେଖୁଛନ୍ତି!’- ଏହିପରି ଭାବନାରେ ବିଶ୍ୱାମିତ୍ରଙ୍କ ମନରେ ଅନୁତାପ ଆସିଲା। ଧାଇଁଯାଇ ଲୋଟିପଡ଼ିଲେ ବଶିଷ୍ଠଙ୍କ ପାଦତଳେ ଏବଂ କ୍ଷମା ପ୍ରାର୍ଥନା କଲେ। ତାଙ୍କୁ ‘ଉଠନ୍ତୁ ବ୍ରହ୍ମର୍ଷି’ କହି କୋଳେଇ ନେଇଛନ୍ତି ବଶିଷ୍ଠ ସେଇଠି। ଅନେକ ସାଧନା ସତ୍ତ୍ୱେ ବ୍ରହ୍ମର୍ଷି ହୋଇ ପାରୁ ନ ଥିବା ବିଶ୍ୱାମିତ୍ର, କ୍ରୋଧ ତ୍ୟାଗ କଲା ପରେ ବ୍ରହ୍ମର୍ଷି ବୋଲି ସ୍ବୀକୃତ ହୋଇପାରିଲେ। ବ୍ରହ୍ମର୍ଷି ମାନେ ବ୍ରାହ୍ମଣ ଓ ଋଷି। ବିଶ୍ୱାମିତ୍ର ଆଗରୁ ରାଜା ବା କ୍ଷତ୍ରିୟ ଓ ଋଷି ଥିଲେ। ବହୁ ତପସ୍ୟା କରିବା ପରେ ବ୍ରହ୍ମା ତାଙ୍କୁ କହିଥିଲେ- ବଶିଷ୍ଠ ତୁମକୁ ବ୍ରାହ୍ମଣ ବୋଲି ମାନିଲେ ସମାଜ ତାକୁ ଗ୍ରହଣ କରିବ। କିନ୍ତୁ ଆଜିଯାଏ କ୍ରୋଧ, ହିଂସା, ଅହଂକାର ଆଦି ଦୁର୍ଗୁଣ ତ୍ୟାଗ କରିପାରି ନ ଥିବାରୁ ବଶିଷ୍ଠ ତାଙ୍କୁ ବ୍ରାହ୍ମଣ ବୋଲି ମାନି ନ ଥିଲେ।
କ୍ରୋଧ ଓ ଅହଂକାର ତ ମହାଭାରତ ଯୁଦ୍ଧର କାରଣ। ଯଦୁବଂଶ ଧ୍ୱଂସର କାରଣ ବି ଏହି କ୍ରୋଧ (ଋଷି ଦୁର୍ବାସାଙ୍କ ଅଭିଶାପ)। ଭଉଣୀର ଅପମାନ ପାଇଁ ପ୍ରତିଶୋଧର ଭାବନା ଯୋଗୁ ରାବଣର ସୀତାହରଣ ଓ ପରିଣତିରେ ସ୍ବର୍ଣ୍ଣମୟୀ ଲଙ୍କାର ଧ୍ୱଂସ। ଏହି କ୍ରୋଧ ହିଁ ମଣିଷର ବଡ଼ ବଇରୀ। କ୍ରୋଧକୁ ଦମନ କରିବା ଅର୍ଥ ବିଶ୍ୱବିଜୟୀ ହେବା। ସେଇଥିପାଇଁ ତ ନଚିକେତା ତାଙ୍କର ପ୍ରଥମ ମାଗୁଣିରେ ଯମଙ୍କଠୁଁ ବର ମାଗିଥିଲେ ପିତାଙ୍କ କ୍ରୋଧ ଶାନ୍ତ ହେଉ ବୋଲି।
ଏଇମାତ୍ର ସରିଥିବା ନିର୍ବାଚନରେ ଦେଖିବାକୁ ମିଳିଛି ରେକର୍ଡ ସଂଖ୍ୟକ ନିର୍ବାଚନୀ ହିଂସା। ଯାହାକି କ୍ରୋଧର ବୀଭତ୍ସ ପରିଣତି। କ୍ରୋଧରେ ଜଳୁଥିବା ମମତା ଦିଦିଙ୍କ ବଙ୍ଗଭୂମି ତ ସମସ୍ତ ରେକର୍ଡକୁ ଭାଙ୍ଗି ଇତିହାସ ରଚିଛି। ଯେଉଁଥିପାଇଁ କି ଦିଦିଙ୍କ ଶରୀର ଓ ଦଳ କ୍ଷୀଣ ହୋଇ ଚାଲିଥିଲାବେଳେ ନବୀନବାବୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି ଏହାର ବିପରୀତ। ସେ ନିଜର ଶରୀର ଓ ଦଳକୁ ସବଳ ରଖିପାରିଛନ୍ତି ନାନା ପ୍ରତିକୂଳତା ସତ୍ତ୍ୱେ। ଏହା କେବଳ ସମ୍ଭବ ହୋଇଛି ନବୀନବାବୁଙ୍କ କ୍ରୋଧଶୂନ୍ୟ ଓ ଶାନ୍ତ ସ୍ବଭାବ ଯୋଗୁ। କ୍ରୋଧର ଆରମ୍ଭ ହୁଏ ଆମତ୍ବଡ଼ିମା, ଭୁଲ୍‌ ବୁଝାମଣା, ଅପମାନବୋଧ, ଇଚ୍ଛାପୂର୍ତ୍ତି ହୋଇ ନ ପାରିବା, ଈର୍ଷା, ଦ୍ୱେଷ, ଶତ୍ରୁତା ମନୋଭାବ ଆଦି ଯୋଗୁ ଏବଂ ସମାପ୍ତି ଘଟେ ଧ୍ୱଂସ ବା ପଶ୍ଚାତ୍ତାପରେ। ସେତେବେଳକୁ ଅନେକ କ୍ଷତ ଓ କ୍ଷତି ଘଟି ସାରିଥାଏ। ନେଡ଼ିଗୁଡ଼ କହୁଣିକୁ ବୋହି ଯାଇଥାଏ। କ୍ରୋଧ ଏପରି ଏକ ଆସୁରିକତା, ଥରେ ତାକୁ ପ୍ରଶ୍ରୟ ଦେଲେ କ୍ରମଶଃ କାୟା ବିସ୍ତାର କରିଚାଲେ। ଭାଙ୍ଗିଦିଏ ବନ୍ଧୁତ୍ୱକୁ। ସମାଧି ଦିଏ ସମ୍ପର୍କକୁ। ଚୂରମାର କରିଦିଏ ପରିବାରକୁ। ଧ୍ୱଂସ କରେ ଦାମ୍ପତ୍ୟ ଜୀବନକୁ। ଶରାଘାତର କ୍ଷତ ହୁଏତ ଶୁଖି ଯାଇପାରେ ମାତ୍ର କ୍ରୋଧଜନିତ ଶବ୍ଦାଘାତର କ୍ଷତ ସହଜେ ଶୁଖେ ନାହିଁ। ଏଣୁ କ୍ରୋଧିତ ଅବସ୍ଥାରେ ନୀରବ ରହିଯିବା ବୁଦ୍ଧିମତ୍ତାର ପରିଚୟ। କାରଣ ଧନୁରୁ ତୀର ଓ ପାଟିରୁ ଶବ୍ଦ ବାହାରିଗଲା ପରେ ଆଉ ଫେରାଇ ଆଣି ହୁଏନା।
ମନେପଡ଼େ ଆଉ ଏକ ପ୍ରେରଣାଦାୟୀ ପ୍ରସଙ୍ଗଟିଏ। ଏକ ବୃହତ୍‌ କାରଖାନାରେ ଅଜୟ ବେହେରା ନାମରେ ଜଣେ କିରାଣି ଥିଲେ। କଥାଛଳରେ ଦିନେ ସେ କହିଲେ- ଗତକାଲି ମୋ ସ୍ତ୍ରୀ ଭୀଷଣ ଗାଳି କଲେ ମୋ ଉପରେ। ଇଚ୍ଛା ହେଉଥିଲା ଭଲ କରି ଉତ୍ତମ-ମଧ୍ୟମ ଦୁଇଟା କଷିଦେବାକୁ। ଅଫିସ୍‌ କଥା ଚିନ୍ତାକରି ଚୁପ୍‌ ରହିଗଲି। ଭାବିଲି, ମୁଁ ତ ପ୍ରାୟ ପ୍ରତିଦିନ ବସ୍‌ଙ୍କଠାରୁ ନାନାଦି କଟୁକଥା ଶୁଣୁଛି। ଅସ୍ରାବ୍ୟ ଭାଷା ବି ଶୁଣିବାକୁ ମିଳେ ବେଳେ ବେଳେ। ଯଦି ସେ ସବୁକୁ ହଜମ କରିଦେଉଛି ତେବେ ଯିଏ ମୋର ଅର୍ଦ୍ଧାଙ୍ଗିନୀ ତଥା ମୋ ପରିବାରର ଯାବତୀୟ ସେବା କରି ଚାଲିଛି ତା’ର ସାମାନ୍ୟ କେଇଟା ଶବ୍ଦ ପାଇଁ ମୁଁ କ’ଣ ଚାଣ୍ଡାଳ ସାଜିବି? ଏହା ଭାବି ଶାନ୍ତ ରହିଗଲି। ନ ହେଲେ ବଡ଼ ଅନର୍ଥଟିଏ ହୋଇଥାନ୍ତା।
ଏହିପରି ବୋଧଶକ୍ତି ଦ୍ୱାରା ହିଁ କ୍ରୋଧକୁ ବଧ କରାଯାଇଥାଏ। ଧୈର୍ଯ୍ୟ ଓ ସହନଶୀଳତା ରୂପକ ଥଣ୍ଡା ପାଣିରେ ହିଁ କ୍ରୋଧ ଓ ହିଂସା ରୂପକ ନିଅଁାକୁ ଆୟତ୍ତ କରାଯାଇପାରେ। ମୌନ ଭାବ, ଏକାନ୍ତପଣିଆ, ସକାରାମତ୍କ ଦୃଷ୍ଟିଭଙ୍ଗୀ, ଧ୍ୟାନ ଓ ଯୋଗ ଆଦି କ୍ରୋଧର ସଫଳ ଉପଚାର। ଅଯଥା ଯୁକ୍ତିତର୍କଠୁ ଦୂରେଇ ରହିଲେ କ୍ରୋଧ ଆପେ ଆପେ ଅପସରି ଯାଏ। କ୍ରୋଧ ବେଳେ ଥଣ୍ଡା ପାଣି ମୁନ୍ଦାଏ ମଧ୍ୟ କ୍ରୋଧକୁ ପ୍ରଶମିତ କରିଥାଏ। ମନୋବିଜ୍ଞାନୀଙ୍କ ମତରେ କ୍ରୋଧଭାବ ଆସିଲାକ୍ଷଣି ଆଖି ସାମ୍ନାରେ ଥିବା ସଜଫୁଟା ଫୁଲଟିକୁ ନିରୀକ୍ଷଣ କରି ତା’ର ସୌନ୍ଦର୍ଯ୍ୟ ଓ ସୁରଭିକୁ ଉପଭୋଗ କରନ୍ତୁ। ଅଥବା ମନପସନ୍ଦର ଯେ କୌଣସି ଗୀତକୁ ଗୁଣୁଗୁଣେଇ ହୁଅନ୍ତୁ। ଶୁଣିବାକୁ ଚେଷ୍ଟା କରନ୍ତୁ ମନ୍ଦିରରୁ ଆସୁଥିବା ପବିତ୍ର ଘଣ୍ଟଧ୍ୱନିକୁ, ନୀଡ଼ଫେରନ୍ତା କାକଳିର ମୁଗ୍ଧ କୋଳାହଳକୁ। ମନେ ପକାନ୍ତୁ ଉଦିତ ସୂର୍ଯ୍ୟର ସେହି ସୁନେଲି ଦୃଶ୍ୟକୁ। ଅନ୍ତରଙ୍ଗ ବନ୍ଧୁଙ୍କଠାରେ ମଧ୍ୟ କ୍ରୋଧର କାରଣ ଥିବା ପ୍ରସଙ୍ଗକୁ ପ୍ରକାଶ କରି ମନକୁ ହାଲୁକା କରିଦିଅନ୍ତୁ। ପ୍ରଗତିର ପ୍ରତିବନ୍ଧକ, ଉତ୍ତରଣର ବାଧକ, ଆମର ବଡ଼ ଶତ୍ରୁ ହେଉଛି କ୍ରୋଧ। ଅତଏବ କ୍ରୋଧଠୁଁ କୋଶେ ଦୂରରେ ରହିଲେ ହିଁ ଜୀବନ ଆନନ୍ଦମାର୍ଗୀ ହେବ। ଅନ୍ୟଥା ଜୀବନକୁ ଜାଳିପୋଡ଼ି ସେ ପାଉଁଶ କରିଦେବ।
ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ୱର, ମୋ- ୯୪୩୭୪୩୬୦୭୩, ଇ-ମେଲ : unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri