ମଣିନାଗ ପୀଠ ରାସ୍ତା କାମ ବନ୍ଦ: ଠାକୁରାଣୀଙ୍କୁ ଦର୍ଶନ କରିପାରୁ ନାହାନ୍ତି ପର୍ଯ୍ୟଟକ

ରଣପୁର,୨୯ା୧(ସ୍ବ.ପ୍ର.): ନୟାଗଡ଼ ଜିଲାର ରଣପୁର ନିକଟ ମା’ ମଣିନାଗ ପୀଠ ରାସ୍ତାକୁ ଜଣେ ଲୋକ ପଥର ପକାଇ ଅବରୋଧ କରିଛନ୍ତି। ଫଳରେ ରାସ୍ତା କାର୍ଯ୍ୟ ବନ୍ଦ ହୋଇଯାଇଛି। ରାସ୍ତା ଅବରୋଧ କାରଣରୁ ଭକ୍ତମାନେ ଠାକୁରାଣୀଙ୍କୁ ଦର୍ଶନ କରିପାରୁ ନାହାନ୍ତି। ପ୍ରଶାସନ ପକ୍ଷରୁ ରାସ୍ତା କାର୍ଯ୍ୟ ଆରମ୍ଭ କରାଯିବା ବ୍ୟବସ୍ଥା କରା ନ ଗଲେ ସ୍ଥାନୀୟ ବାସିନ୍ଦା ଫେବୃୟାରୀ ୪ରେ ରଣପୁର ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁସାରେ ରଣପୁର ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ମଣିନାଗ। ଏଠାରେ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ ଜମେ । ରଣପୁର ପୂର୍ତ୍ତ ବିଭାଗ ଛକଠାରୁ ମା’ଙ୍କ ପୀଠକୁ ପଡିଛି ଏକମାତ୍ର ରାସ୍ତା। ଏହି ରାସ୍ତାକୁ ୧୮ ଫୁଟିଆ କଂକ୍ରିଟ ଓ ଗାର୍ଡୱାଲ କରିବା ପାଇଁ ଅର୍ଥ ମଞ୍ଜୁର ହୋଇ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଓ ପର୍ଯ୍ୟଟକ ଖୁସି ବ୍ୟକ୍ତ କରିଥିଲେ। ତେବେ ଦେବୋତ୍ତର ବିଭାଗ ଅଧୀନ ଗୁରୁଣ୍ଡି ଗୋପାଳଜୀଉ, ମାର୍ଫତ ଅରକ୍ଷିତ ସେଠୀଙ୍କ ନଁାରେ ରାସ୍ତା ସମେତ କିଛି ଅଂଶ ରେକର୍ଡ ହୋଇଯାଇଛି। ତେବେ ଜମିଟି କାହିଁ କେଉଁ କାଳରୁ ରାସ୍ତା ରୂପେ ବ୍ୟବହୃତ ହୋଇଆସୁଛି। ଅନ୍ୟପକ୍ଷେ ଗୁରୁଣ୍ଡି ଗୋପାଳଜୀଉଙ୍କ ନଁାରେ ଜମି ରହିଥିବାବେଳେ ସେହି ଠାକୁରାଣୀ ମଣିନାଗଙ୍କ ମନ୍ଦିରରେ ପୂଜା ପାଉଛନ୍ତି। ଗୁରୁଣ୍ଡି ଗୋପାଳଜୀଉଙ୍କ ସ୍ବତନ୍ତ୍ର ପୀଠସ୍ଥଳ ନାହିଁ। ମାର୍ଫତଦାର ଠାକୁରାଣୀଙ୍କ ଦାୟିତ୍ୱ ନେଉ ନ ଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ତାଙ୍କୁ ଉଚ୍ଛେଦ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେହିଭଳି ଦେବୋତ୍ତର ବିଭାଗ ନାମରେ ସ୍ବତନ୍ତ୍ର ରେକର୍ଡ ସଂଶୋଧନ କରାଯିବାକୁ ସେମାନେ ଅନୁରୋଧ କରିଛନ୍ତି।