ମଠରୁ ପୁଅବେଶଧାରୀ ନାବାଳିକା ଉଦ୍ଧାର

ପୁରୀ ଅଫିସ, ୨୩ା୧: ଘରୁ ବିମୁଖ ହୋଇ ଭୁବନେଶ୍ୱରର ଉଚ୍ଚଶିକ୍ଷିତ ଯୁବକ ଗିରିଜା ଶଙ୍କର ମିଶ୍ର ଗତ କିଛି ବର୍ଷ ଧରି ଶ୍ରୀକ୍ଷେତ୍ରକୁ ଚାଲିଆସି ଭିକ୍ଷାବୃତ୍ତି କରିବା ଘଟଣାର ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଏଭଳି ଏକ ଖବର ଆଲୋଡ଼ନ ସୃଷ୍ଟି କରିଛି। ଶ୍ରୀମନ୍ଦିର ନିକଟ ଏକ ମଠରେ ପୁଅ ବେଶରେ ସଜେଇ ହୋଇ ରହୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ (ଡିସିପିୟୁ) ଉଦ୍ଧାର କରିଛି। ଏହି ପିଲା ଜଣକ ପୁଅ ନୁହେଁ ବରଂ ଝିଅ ବୋଲି ଜଣାପଡ଼ିବା ପରେ ମଠ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଥିଲେ। କୌଣସି ସମସ୍ୟା ସୃଷ୍ଟି ହେବା ଆଶଙ୍କାରେ ସେ ନିଜସ୍ବ ଖର୍ଚ୍ଚରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ କର୍ମକର୍ତ୍ତାଙ୍କ ଜରିଆରେ ସମ୍ପୃକ୍ତ ନାବାଳିକାଙ୍କୁ ରାତିଅଧିଆ ତାଙ୍କ ଘରକୁ ପଠାଇ ଦେଇଥିବା ଜଣାପଡ଼ିିଛି।
ସୂଚନା ଅନୁଯାୟୀ, କିଛି ମାସ ତଳେ କଟକ ଅଞ୍ଚଳର ଏହି ନାବାଳିକା ଜଣକ କୌଣସି କାରଣରୁ ଘରୁ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ପୁରୀରେ କାମଧନ୍ଦା ଖୋଜି ଥିଲେ। ମାତ୍ର ନ ପାଇବାରୁ ନିଜକୁ ବ୍ରାହ୍ମଣ ବେଶରେ ସଜାଇ ଭିକ୍ଷାବୃତ୍ତି କରି ଚଳୁୁଥିଲେ। ସେ ଦେଖିବାକୁ ସୁନ୍ଦର ହୋଇଥିବାବେଳେ କଥାରେ ମିଷ୍ଟତା ଯୋଗୁ ଅଳ୍ପ ଦିନରେ ସ୍ଥାନୀୟ ଲୋକଙ୍କ ହୃଦୟ ଜିଣିଥିଲେ। ଉକ୍ତ ମଠ ନିକଟରେ ଥିବା ଚା’ ଦୋକାନୀ ସମ୍ପୃକ୍ତ ମଠର ମହନ୍ତଙ୍କୁ ଏହି ବ୍ରାହ୍ମଣ ବେଶଧାରୀ ପିଲାଙ୍କୁ ଦେଖାଇ କହିଥିଲେ ଯେ, ଭଲ ପିଲାଟିଏ, ମନ୍ତ୍ର ପାଠ ଜାଣିଛି। ମଠରେ ରହିବ, ଠାକୁର ଓ ଆପଣଙ୍କ ସେବା କାର୍ଯ୍ୟ କରିବ। ମଠ ମହନ୍ତ ତାଙ୍କ ଚାଲିିଚଳଣ ଓ ବ୍ୟବହାରରେ ସନ୍ତୁଷ୍ଟ ହୋଇ ମଠରେ ରହିବାକୁ ଅନୁମତି ଦେଇଥିଲେ। ସମ୍ପୃକ୍ତ ବ୍ରାହ୍ମଣ ବେଶଧାରୀ ପିଲା ଦିନରେ ମଠରେ କାମ କରୁଥିଲେ। ରାତିରେ ଖାଇପିଇ ସେଠାରେ ଶୋଇଯାଉଥିଲେ। ତେବେ କୌଣସି ସୂତ୍ରରୁ ଉକ୍ତ ବ୍ରାହ୍ମଣ ବେଶଧାରୀ ପିଲା ଜଣଙ୍କ ସମ୍ପର୍କରେ ଖବର ପାଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଏକ ଟିମ୍‌ ସୋମବାର ରାତିରେ ଅଚାନକ ମଠରେ ପହଞ୍ଚି ମହନ୍ତଙ୍କ ସହ ଆଲୋଚନା କରିଥିଲେ। ସେହି ବେଶଧାରୀ ପିଲା ଜଣଙ୍କ ପୁଅ ନୁହେଁ ବରଂ ଝିଅ ଏବଂ ସେ ନାବାଳିକା ବୋଲି ଜଣାଇଥିଲେ। ଏକଥା ଶୁଣି ମଠ ମହନ୍ତ ଚମକି ପଡ଼ିିଥିଲେ। ସମ୍ପୃକ୍ତ ବେଶଧାରୀ ପିଲାଙ୍କୁ ପଚରାଉଚୁରା କରିବାରୁ ସବୁ କଥା ଜଣାପଡ଼ିଥିଲା। ସେ ନିଜ ପରିଚୟ ଦେବା ସହ ଘର ଠିକଣା ବି କହିଥିଲେ। ଏହାପରେ କାଳେ କିଛି ସମସ୍ୟା ଉପୁଜିବ ଏବଂ ଗଣମାଧ୍ୟମ ନିକଟରେ ଖବର ପହଞ୍ଚିଯିବ ସେହି ଭୟରେ ମଠ ମହନ୍ତ ଗାଡ଼ି ଭଡ଼ା ଦେଇ ତାଙ୍କୁ ଗ୍ରାମକୁ ତୁରନ୍ତ ପଠାଇ ଦେବାକୁ ଚାହିଁଥିଲେ। ଶିଶୁ ସୁରକ୍ଷା ୟୁନିଟ୍‌ର ସଦସ୍ୟା ସଦସ୍ୟମାନେ ତାଙ୍କୁ ସେଠାରୁ ରାତିରେ ଉଦ୍ଧାର କରି ତାଙ୍କ ଘରକୁ ପଠାଇ ଦେଇଥିଲେ।