ମଙ୍ଗଳ ଯୋଡ଼ିରେ ବିରଳ ଆଲବିନୋ କାମ ପକ୍ଷୀ ଠାବ

ଭୁବନେଶ୍ୱର,୧।୩(ବ୍ୟୁରୋ): ପକ୍ଷୀମାନଙ୍କର ସ୍ବର୍ଗ କୁହାଯାଉଥିବା ମଙ୍ଗଳାଯୋଡିରେ ଏକ ବିରଳ ଆଲବିନୋ ପର୍ପଲ ମୁର ହେନ ପକ୍ଷୀ ଠାବ କରାଯାଇଛ। ଗୋଲାପୀ ଆଖି ଥିବା ସମ୍ପୁର୍ଣ୍ଣ ଧଳା ରଙ୍ଗର ପକ୍ଷୀକୁ ବାର୍ଡ ଗାଇଡ୍‌ ମଧୁ ବେହେରା ଦେଖିବା ପରେ ଫଟୋ ଉଠାଇଥିଲେ। ଏହା ପରେ ସେହି ଫଟୋଗୁଡ଼ିକୁ ମଧୁ ଖୋର୍ଦ୍ଧାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠାଇଥିଲେ। ଶୁଭେନ୍ଦୁ ସେହି ଫଟୋରୁ ପକ୍ଷୀଟିକୁ ପର୍ପଲ ମୁର ହେନ ପକ୍ଷୀର ଆଲବିନୋ ବୋଲି ନିଶ୍ଚିତ କରିଥିଲେ।
ପର୍ପଲ ମୁର ହେନ୍‌କୁ ଓଡ଼ିଆରେ ‘କାମ ପକ୍ଷୀ’ ବୋଲି କୁହାଯାଏ। ଏହାର ବୈଜ୍ଞାନିକ ନାମ ପୋର୍ଫିରିଓ। ମଙ୍ଗଳାଯୋଡିରେ ଏମାନେ ଏକ ରେସିଡେଣ୍ଟ ପକ୍ଷୀ ଏବଂ ବହୁଳ ସଂଖ୍ୟାରେ ମିଳନ୍ତି। କିନ୍ତୁ ଆଲବିନୋ କାମ ପକ୍ଷୀ ସାରା ବିଶ୍ୱରେ ପ୍ରଥମ କରି ଦେଖାଯାଇଛି। ଏକ ସାଧାରଣ କାମ ପକ୍ଷୀର ଶରୀର ବାଇଗଣୀ ନୀଳ ରଙ୍ଗର ହେବା ସହ ଲମ୍ବା ଗୋଡ ଏବଂ ଥଣ୍ଟ ନାଲି ରଙ୍ଗର ହୋଇଥିବା ବେଳେ ଲାଞ୍ଜ ଆବରଣ ତଳେ ଧଳା ରହିଥାଏ। ହେଲେ ଠାବ କରାଯାଇଥିବା କାମପକ୍ଷୀଟିର ଶରୀର ସମ୍ପୂର୍ଣ୍ଣ ଧଳା ରଙ୍ଗର ଥିବା କୁହାଯାଉଛି। ଆଗାମୀ ଦିନରେ ପର୍ଯ୍ୟଟକମାନେ ପକ୍ଷୀ ପ୍ରତି ଆକୃଷ୍ଟ ହୋଇ ମଙ୍ଗଳ ଯୋଡ଼ି ଆସିବା ନେଇ ଆଶା କରାଯାଉଛି।