ମକାର ଅଭାବୀ ବିକ୍ରି: ବନବାସୀ ହତାଶ

କେନ୍ଦୁଝର, ୨୬ା୮ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ପାହାଡିଆ ଅଞ୍ଚଳର ମୃତ୍ତିକା ମକାଚାଷ ପାଇଁ ଅତ୍ୟନ୍ତ ଉପଯୋଗୀ। ଅଳ୍ପ ବର୍ଷାରେ ମକା ଫସଲ ହେଉଥିବାରୁ ବର୍ଷାଦିନେ ପାହାଡିଆ ଅଞ୍ଚଳର ବହୁ ଜମିରେ ମକାଚାଷ ହୋଇଥାଏ। ବନବାସୀମାନେ ମକା ଚାଷ କରି ଏହାକୁ ବିକି ଚଳିଥାନ୍ତି। ମକା ଅମଳ ବେଳେ ବଜାର ସୁବିଧା ମିଳୁ ନ ଥିବାରୁ ଚାଷୀମାନେ ଅମଳ କରୁଥିବା ମକାକୁ ଉଚିତ ମୂଲ୍ୟରେ ବିକି ନ ପାରି କ୍ଷତି ସହୁଛନ୍ତି। ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଅନ୍ୟପକ୍ଷେ ଏହି ଅଞ୍ଚଳକୁ ଆସି ଡେରା ପକାଇଥିବା ବେପାରୀ ଅଭାବୀ ବିକ୍ରିର ସୁଯୋଗ ନେଇ କମ୍‌ ମୂଲ୍ୟରେ ମକା କିଣି ଚାଷୀଙ୍କୁ ଶୋଷଣ କରୁଥିବାଅଭିଯୋଗ ହେଉଛି।
କାଞ୍ଜିପାଣି ଗ୍ରାମର ଦାଶଇ ନାଏକଙ୍କ ସମେତ କେତେଜଣ ଗ୍ରାମବାସୀ କହିଛନ୍ତି ଯେ, ମକା ଅମଳ ସମୟରେ ଜଙ୍ଗଲରେ ହାତୀ, ବାର୍‌ହା ଓ ଭାଲୁ ଉପଦ୍ରବ ଯୋଗୁଁ ବହୁ ମକା ଫସଲ ନଷ୍ଟ ହୋଇଥାଏ ା ଆମେ ରାତି ଅନିଦ୍ରା ହୋଇ ଫସଲର ଜଗାରଖା କରୁ। ଅମଳ ମକାକୁ ଗାଡି ଭଡା କରି ହାଟବଜାରକୁ ଆଣି ବିକି ଥାଉ। ଅଭାବୀ ବିକ୍ରି ଯୋଗୁ ଯାହା ମୂଲ୍ୟ ମିଳେ ସେଥିରେ ଗାଡି ଭଡା ଦେଇ ଆଉ ସେଭଳି କିଛି ଅର୍ଥ ମିଳେ ନାହିଁ ା ପରିଶ୍ରମ ଅନୁସାରେ ମକା ଚାଷରୁ ଲାଭ ମଳୁ ନ ଥିବା ଯୋଗୁ ଏ ସମ୍ପର୍କରେ ସେମାନେ ପ୍ରଶାସନକୁ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ ା ହାଟବଜାରକୁ ଆଣି ଆସିବା ପରେ କେତେକ ବେପାରୀଙ୍କ ଦ୍ୱାରା ପ୍ରତାରିତ ହେଉଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ରହୁନାହିଁ ା ବେପାରୀମାନେ ୧୦ଟଙ୍କାରେ ୬ରୁ ୮ଟି ମକା କିଣି ବାହାରେ ମକା ଗୋଟିକୁ ୫ରୁ ୧୦ ଟଙ୍କାରେ ବିକି ମୁନାଫା ଉଠାଉଛନ୍ତି। କେନ୍ଦୁଝର ଜିଲାରୁ ଉତ୍ପାଦିତ ମକାକୁ କଟକ, ଭୁବନେଶ୍ୱର ଆଦି ଅଞ୍ଚଳକୁ ନିଆଯାଇ ଏବେ ବିକ୍ରି କରାଯାଉଛି। ଦେଶୀ ମକାର ଚାହିଦା ଥିଲେ ମଧ୍ୟ ମକା ଚାଷ କ୍ରମେ ଚାଷୀଙ୍କ ଲାଗି ଅଲୋଡା ହୋଇ ଯାଉଛି ହାଟ ବଜାରକୁ ମକା ବିକିବାକୁ ଆସୁଥିବା ବନବାସୀମାନେ କହିଛନ୍ତି।