ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ ପରିବାରର ୬ ବଖରା

ଭଞ୍ଜନଗର,୧୨।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ଗାୟଗଣ୍ଡାରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୬ ବଖରା ଜଳିଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। ଏଥିରେ ରଞ୍ଜୁ ବେହେରା, ଅମ୍ବିକା ବେହେରା ଓ ଦ୍ରୌପଦୀ ବେହେରାଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଖବରପାଇ ଭଞ୍ଜନଗର ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା ଏଯାବତ୍‌ ସେନେଇ କିଛି ଖବର ମିଳିପାରି ନାହିଁ। ରବିବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସହାୟତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଜାରି ରହିଛି।