ଭଦ୍ରକ,୭।୫(ସନାତନ ରାଉତ): ପ୍ରଥମ ନିଟ ପରୀକ୍ଷାରେ ବିଫଳ ହୋଇଥିଲେ। ଦ୍ୱିତୀୟ ଥର ପରୀକ୍ଷା ପରେ ନିଜେ ମାର୍କିଙ୍ଗ କରିଥିଲେ। ପରୀକ୍ଷା ଫଳ ଖରାପ ହେବ ବୋଲି ଭାବି ଆତ୍ମହତ୍ୟା କରିଛନ୍ତି ନିଟ ଛାତ୍ର। ଏମିତି ଏକ ଦୁଖଃଦ ଘଟଣା ଘଟିଛି ଭଦ୍ରକ ସହରାଞ୍ଚଳ ଥାନା ଟ୍ରେଜେରୀ ଅଫିସ ନିକଟସ୍ଥ କଲୋନୀର ଭଡା ଘରେ।
ସୂଚନା ମୁତାବକ, ଭଦ୍ରକ ଜିଲା ତିହିଡି ଥାନା ନନ୍ଦୁର ଗାଁର ଜ୍ୟୋତି ପ୍ରକାଶ ବାରିକ ଭୁବନେଶ୍ୱରରେ ରହି ନିଟ ପରୀକ୍ଷା ଦେଇଥିଲେ। ପ୍ରଥମ ନିଟ ପରୀକ୍ଷାରେ ୩୩୦ ମାର୍କ ରଖିଥିବା ସୂଚନା ମିଳିଛି। ବାପା ଓ ମା’ଙ୍କ ସହ ଭଦ୍ରକ ସହରରେ ରହି ପାଠ ପଢୁଥିଲେ। ଅନେକ ସମୟରେ ପରୀକ୍ଷା ଫଳକୁ ନେଇ ସେ ଚିନ୍ତିତ ରହୁଥିବା ଛାତ୍ରଙ୍କ ମା’ କହିଛନ୍ତି। ଅନେକ ସମୟରେ ସେ ଭବିଷ୍ୟତରେ କିଛି କରି ପାରିବେ ନାହିଁ ବୋଲି ପରିବାର ଲୋକଙ୍କୁ ବାରମ୍ବାର କହୁଥିଲେ। ଦ୍ୱିତୀୟ ଥର ନିଟ ପରୀକ୍ଷା ଦେଇଥିବାବେଳେ ସେ ନିଜେ ପରୀକ୍ଷାରେ ଦେଇଥିବା ଉତ୍ତରକୁ ସମୀକ୍ଷା କରିଥିବା ସୂଚନା ମିଳିଛି। ତେବେ ପରୀକ୍ଷା ଫଳ ଏଥର ମଧ୍ୟ ଖରାପ ହେବ ବୋଲି ସନ୍ଦେହ କରି ଆତ୍ମହତ୍ୟା କରିଛନ୍ତି । ତେବେ ବାପାଙ୍କ ଦୋକାନକୁ ମା’ କାମ ପାଇଁ ଯାଇଥିବାବେଳେ ଭଡ଼ା ଘରେ ଜ୍ୟୋତି ପ୍ରକାଶ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ତାଙ୍କୁ ଭଦ୍ରକ ମେଡିକାଲକୁ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।
Dharitri – Odisha’s No.1 Odia Daily

