ଭୋଟ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭଦ୍ରକ ଅଫିସ, ୨୨।୫: ଗୁରୁବାର ଭୋଟ ଗଣତି। ଏହାକୁ ଠିକ୍‌ ଭାବେ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିଲାଗି ଜିଲା ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ଭୋଟ ଗଣନା କେନ୍ଦ୍ରର ପ୍ରଥମ ପ୍ରବେଶଦ୍ୱାରରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ନିୟୋଜିତ ହେବେ। ସେହିପରି ସେକେଣ୍ଡ କରିଡର୍‌ରେ ଆର୍ମଡ୍‌ ଫୋର୍ସ ଓ ତୃତୀୟ ପ୍ରବେଶ ପଥରେ ସାଧାରଣ ପୋଲିସ ମୁତୟନ ହୋଇ ସୁରକ୍ଷା କାର୍ଯ୍ୟର ତଦାରଖ କରିବେ। ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ, ୧୩ ପ୍ଲାଟୁନ ସଶସ୍ତ୍ର ବାହିନୀ ସହ ୨ ପ୍ଲାଟୁନ କେନ୍ଦ୍ରୀୟ ରିଜର୍ଭ ବାହିନୀଙ୍କୁ ନିୟୋଜିତ କରାଯାଇଛି। ଏହାବ୍ୟତୀତ ୫୦ ଜଣ ସବ୍‌ଇନ୍ସପେକ୍ଟର, ଆସିଷ୍ଟାଣ୍ଡ ସବ୍‌ଇନ୍ସପେକ୍ଟର, ୭ ଡିଏସ୍‌ପି, ୮ ଇନ୍ସପେକ୍ଟର, ୫ ହାବିଲଦାର, ୨୧ ଓଆର୍‌ କନଷ୍ଟେବଳ ଓ ୫୬ ହୋମଗାର୍ଡଙ୍କୁ ସୁରକ୍ଷା କାର୍ଯ୍ୟରେ ମୁତୟନ କରାଯାଇଛି। ସୁରକ୍ଷା କାର୍ଯ୍ୟର ସୁପରିଚାଳନା ପାଇଁ ୨ ଆଡିଶନାଲ ଏସ୍‌ପିଙ୍କୁ ଦାୟିତ୍ୱ ଦିଆଯାଇଛି। ଉଲ୍ଲେଖନୀୟ ଯେ, ଭଦ୍ରକ ଜିଲାର ଗୋଟିଏ ଲୋକ ସଭା ଆସନ ଓ ୫ଟି ବିଧାନସଭା କ୍ଷେତ୍ର ଲାଗି ପୂର୍ବରୁ ଗୋଟିଏ ସ୍ଥାନରେ ଭୋଟଗଣନା ହୋଇଆସୁଥିଲା। ଚଳିତବର୍ଷ ନୂଆ କରି ଦୁଇଟି ସ୍ଥାନରେ କରାଯାଉଛି। ଭଦ୍ରକ ଓ ଭଣ୍ଡାରିପୋଖରୀ ବିଧାନସଭା ଆସନର ଜିଲା ସଂସ୍କୃତି ଭବନ ଏବଂ ଧାମନଗର, ଚାନ୍ଦବାଲି ଓ ବାସୁଦେବପୁର ବିଧାନସଭା ଆସନର ଭଦ୍ରକ କଲେଜଠାରେ ଭୋଟଗଣତି କରାଯିବ।
ଫଟୋ-
ଜିଲାପାଳଙ୍କ ଅଫିସ ସମ୍ମୁଖରେ କରାଯାଇଥିବା ବ୍ୟାରିକେଡ୍‌।