ଭୋଜି ବାହାନାରେ ଜୁଆ ଆଡ୍ଡା, ୩ ଗିରଫ: କାର, ବାଇକ ସମେତ ୯୨,୪୫୦ ଟଙ୍କା ଜବତ

ଦିଗପହଣ୍ଡି,୧୪ା୧୧(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ ଗୁରୁବାର ଆନ୍ଧ୍ରପ୍ରଦେଶ ଇଚ୍ଛାପୁରର ପି. ପ୍ରବିନ କୁମାର, ଗୋଳନ୍ତରା ଥାନା ପନାଡ ଗ୍ରାମର ଦିବାକର ଗୌଡ, ବ୍ରହ୍ମପୁର ବଡ ବଜାର ଥାନା ଫାଷ୍ଟଗେଟ ଅଞ୍ଚଳର ଦୀପକ ମହାନ୍ତିଙ୍କୁ ଜୁଆ ଖେଳୁଥିବା ଅଭିଯୋଗରେ ବ୍ରହ୍ମପୁର କୋର୍ଟକୁ ଚାଲାଣ କରିଛି। ବୁଧବାର ମହୁରୀ କାଳୁଆ ପୀଠରେ ଛାଡଖାଇ ଭୋଜି ବାହାନାରେ ଚାଲିଥିଲା ଜୁଆଆଡ୍ଡା। କେତେକ ଆନ୍ତଃରାଜ୍ୟ ଜୁଆଡ଼ି ଏଥିରେ ସାମିଲ ଥିବା ପୋଲିସକୁ ସୂଚନା ମିଳିଥିଲା। ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଅପରାହ୍ନ ପ୍ରାୟ ୪ ଟାରେ ସଦଳବଳ ସେଠାରେ ଚଢାଉ କରିଥିଲେ। ସୂଚନା ପାଇ ବହୁସଂଖ୍ୟକ ଜୁଆଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ୩ ଜଣ ଧରାପଡିଥିଲେ। ପୋଲିସ ସେମାନଙ୍କ ଠାରୁ ତାସ ମୁଠା, ପାଲ, ୯୨,୪୫୦ ଟଙ୍କା ସମେତ କାର (ନଂ. ଏପି୩୧ଏଏ- ୯୦୦୯) ଏବଂ ବାଇକ (ନଂ.ଓଆର୦୭ଏନ୍‌-୧୦୨୦) ଜବତ କରି ମାମଲା ନଂ.୨୩୩/୧୯ ଅନୁଯାୟୀ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରିଛି।