ଭୋଜିରୁ ଫେରିବାବେଳେ ଧକ୍କା ଦେଲା ଟ୍ରକ୍‌: ବାପା-ସାନ ପୁଅ ମୃତ, ବଡ଼ ଗୁରୁତର

ବଇଣ୍ଡା, ୧୭।୫(ଡି.ଏନ.ଏ.)- ଭୋଜି ଖାଇ ବାଇକ୍‌ରେ ଘରକୁ ଫେରୁଥିବାବେଳେ ଟ୍ରକ୍‌ ଧକ୍କାରେ ପ୍ରାଣ ହରାଇଛନ୍ତି ବାପା ଓ ସାନ ପୁଅ। ଗୁରୁତର ଅବସ୍ଥାରେ ବଡ ପୁଅ ଚିକିତ୍ସାଧୀନ ଅଛନ୍ତି। କଟକ-ସମ୍ବଲପୁର ୫୫ ନଂ. ଜାତୀୟ ରାଜପଥର କିଶୋରନଗର ଥାନା ସୀମାନ୍ତ ରେଢାଖୋଲ ଥାନା ସାଧୁମୁଣ୍ଡା ଗ୍ରାମରେ ଗୁରୁବାର ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି। ମୃତକ ରେଢାଖୋଲ ଅଞ୍ଚଳର ବିଶି ମିର୍ଦ୍ଧା (୩୫) ଓ ସାନ ପୁଅ ସୁନୀଲ ମିର୍ଦ୍ଧା ବୋଲି ଜଣାପଡିଛି। ବଡ ପୁଅ ବାପି ମିର୍ଦ୍ଧାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଘଟଣାରୁ ପ୍ରକାଶ, ବିଶି ତାଙ୍କ ୨ ପୁଅ ସହ ବାମୁରରୁ ଭୋଜିଖାଇ ବାଇକ୍‌ (ଓଡ଼ି ୨୭ ଏ ୬୫୮୨)ରେ ଘରକୁ ଫେରୁଥିଲେ। ସାଧୁମୁଣ୍ଡା ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା। ବାମୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ବିଶି ଓ ସୁନୀଲଙ୍କ ମୃତ୍ୟୁ ଘଟିଥିଲା। ବାପିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରିବାସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।