ଭୋଗଦୋକାନୀଙ୍କ ସାଧୁତା: ସାକ୍ଷୀଗୋପାଳ ମନ୍ଦିରକୁ ଆସି ଛାଡ଼ିଯାଇଥିବା ପର୍ସ ଫେରିପାଇଲେ ଗୁଜରାଟର ତୀର୍ଥଯାତ୍ରୀ

ସାକ୍ଷୀଗୋପାଳ,୧୪।୧୧(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରକୁ ଠାକୁରଙ୍କ ଦର୍ଶନ ନିମନ୍ତେ ଯାଇଥିବା ଜଣେ ତୀର୍ଥ ଯାତ୍ରୀ ଭୋଗ ଦୋକାନରେ ଛାଡ଼ି ଯାଇଥିବା ତାଙ୍କ ପର୍ସ ଫେରିପାଇଛନ୍ତି। ଭୋଗ ଦୋକାନୀ ଅର୍ଜୁନ ବାରିକ ଓ ମନ୍ଦିର ଫାଣ୍ଡି ପୋଲିସ କର୍ମଚାରୀ ଲିଙ୍ଗରାଜ ଜେନାଙ୍କ ସାଧୁତା ପାଇଁ ଏହା ସମ୍ଭବ ହୋଇଛି।

ସୂଚନାନୁଯାୟୀ, ଗୁଜରାଟରୁ ଆସିଥିବା ବାସୁଦେବ ଭିକାଲାଲ ଯୋଶୀ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନରୁ ଭୋଗ କିଣିବା ପରେ ମନିପର୍ସଟି ସେଠାରେ ଛାଡ଼ି ପଳାଇଥିଲେ। ଦୋକାନୀ ଅର୍ଜୁନ ଏହା ଜାଣିପାରି ପର୍ସଟିକୁ ସାକ୍ଷୀଗୋପାଳ ମନ୍ଦିର ଫାଣ୍ଡି ପୋଲିସ କର୍ମଚାରୀ ଲିଙ୍ଗରାଜଙ୍କୁ ଦେଇଥିଲେ। ପର୍ସଟି ଭିତରେ ରହିଥିବା ଆଧାର କାର୍ଡରେ ଥିବା ମୋବାଇଲକୁ ଫୋନ କରି ସୂଚନା ଦିଆଯାଇଥିଲା। ତେବେ ତୀର୍ଥଯାତ୍ରୀଜଣଙ୍କ ପୁରୀରୁ ଫେରି ପର୍ସ ସହ ୪,୯୬୫ ଟଙ୍କା, ଆଧାର, ପ୍ୟାନ ଓ ଚିକିତ୍ସା କାର୍ଡ଼ ଫେରି ପାଇ ପୋଲିସ ଓ ଭୋଗ ଦୋକାନୀଙ୍କୁ କୃତଜ୍ଞତା ଜଣାଇଥିଲେ।