ଭୋକ ବିକଳରେ ଭିଟାମାଟି ମୁହାଁ

କାମାକ୍ଷାନଗର, ୧୫।୪(ଡି.ଏନ.ଏ.) – ପେଟ ପାଇଁ ସାଜିଥିଲେ ଦାଦନ। ଭିଟାମାଟି ଛାଡ଼ି ଖଟୁଥିଲେ। ଯାହାଙ୍କ ଲାଗି ଲକ୍ଷାଧିକ ଟଙ୍କା ଉପାର୍ଜନର ମାଧ୍ୟମ ସାଜିଥିଲେ ସେହି ମାଲିକ ହିଁ ଦୁର୍ଦ୍ଦିନରେ ଛାଡ଼ିଦେଲେ ହାତ। ସାଙ୍ଗରେ ଥିବା ପରିବାରର ୪ ପ୍ରାଣୀଙ୍କ ମୁହଁରେ ଆଧାର ଦେବା କଷ୍ଟକର ହୋଇପଡ଼ିଲା। ଏହାପରେ ଅନ୍ୟ ଉପାୟ ନ ପାଇ ଅନୁଗୋଳ ଜିଲା ରେଙ୍ଗାଳିରୁ ସପରିବାର ଗାଁ ମୁହାଁ ହୋଇଛନ୍ତି ଭଦ୍ରକ ବାସୁଦେବପୁର ବ୍ଲକ କରଞ୍ଜିଆ ଗ୍ରାମର ଦୁର୍ଯ୍ୟୋଧନ ମାଝି (୪୪)। ଲକ୍‌ଡାଉନ ସମୟରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିବାବେଳେ ଏବେ ପାଦ ହିଁ ସାଜିଛି ଭରସା।
ପେଟପାଟଣା ଚିନ୍ତା ଦୁର୍ଯ୍ୟୋଧନଙ୍କୁ ଟାଣିଆଣିଥିଲା ରେଙ୍ଗାଳି ଅଞ୍ଚଳର ଇଟାଭାଟିକୁ। ଏକାକୀ ଦୁର୍ଯ୍ୟୋଧନ ନୁହନ୍ତି, ତାଙ୍କ ସାଙ୍ଗରେ କାମ କରୁଥିଲେ ସ୍ତ୍ରୀ ମିନତି (୩୮), ଝିଅ ସୁନା (୧୬), ପୁଅ ତପୁ (୧୩) ଏବଂ ବାପୁ (୧୧)। କରୋନା ପ୍ରଭାବିତ ଦେଶରେ ସବୁକିଛି ଠପ୍‌ ହୋଇଯାଇଥିବାବେଳେ ଇଟାଭାଟି କାମ ମଧ୍ୟ ବନ୍ଦ ହୋଇଯାଇଛି। ଏପରି ଅସମୟରେ ମାଲିକଙ୍କଠାରୁ ଦୁଇଓଳା ଖାଇବାକୁ ଆଶା ରଖିଥିଲେ ଦୁର୍ଯ୍ୟୋଧନ। ହେଲେ ସେତକ ବି ତାଙ୍କ ଭାଗ୍ୟରେ ଜୁଟି ନ ଥିଲା। ଗୋଟିଏ ପଟେ କାମ ବନ୍ଦ ଅନ୍ୟପଟେ ଖାଇବା ଚିନ୍ତା ଦୁର୍ଯ୍ୟୋଧନଙ୍କୁ ଗଁା ମୁହଁା କରିବାକୁ ବାଧ୍ୟ କରିଛି। ସୋମବାର ସକାଳେ ସେମାନେ ଘରକୁ ଯିବାକୁ ବାହାରିଥିଲେ। ପରଜଙ୍ଗ ବ୍ଲକ ପିତିରି ଦେଇ ମଙ୍ଗଳବାର ସକାଳେ ସମ୍ପୃକ୍ତ ୫ଜଣ କାମାକ୍ଷାନଗରରେ ପହଞ୍ଚତ୍ଥିଲେ। ଅଞ୍ଚଳର କେତେଜଣ ସହୃଦୟ ଯୁବକ ସେମାନଙ୍କ ଲାଗି ଖାଇବା ବ୍ୟବସ୍ଥା କରିଥିଲେ। ଖାଲି ପାଦରେ ଚାଲୁଥିବାରୁ ମିନତିଙ୍କୁ ଚପଲ ଦେଇଥିଲେ। ସେମାନଙ୍କୁ ଆହୁରି ପାଖାପାଖି ୧୭୦ କିମି ବାଟ ଚାଲିବାକୁ ଅଛି। ଏହାକୁ ନେଇ ସେମାନେ ଚିନ୍ତାରେ ଅଛନ୍ତି।
ଏ ନେଇ ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ କୁହନ୍ତି, ସେମାନଙ୍କୁ ମଧ୍ୟାହ୍ନରେ ରନ୍ଧାଖାଦ୍ୟ ଦିଆଯାଇଥିଲା। ରହିବା ଲାଗି ଏନ୍‌ଏସି କ୍ୱାରାଣ୍ଟାଇନ୍‌ ହୋମ୍‌ରେ ରଖାଯାଇଥିଲା। ହେଲେ ସେମାନେ ପଳାଇ ଯାଇଛନ୍ତି। ସେମାନଙ୍କ ବିଷୟରେ ଭଦ୍ରକ ପ୍ରଶାସନକୁ ଅବଗତ କରାଯାଇଛି।