Categories: ଖେଳ

ଭେଟେରାନ ଖେଳାଳିଙ୍କୁ କିଣିବା ପରମ୍ପରା ବଜାୟ ରଖିଲା ସିଏସ୍‌କେ

ଚେନ୍ନାଇ,୨୦।୧୨- ଆଇପିଏଲ୍‌ ଇତିହାସର ଅନ୍ୟତମ ସଫଳ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତା’ର ଭେଟେରାନ ଖେଳାଳିଙ୍କ ଉପରେ ପୁଞ୍ଜିଲଗାଣ ପରମ୍ପରା ବଜାୟ ରଖିଛି। ଦୁଇ ବର୍ଷ ବାସନ୍ଦାଦେଶରୁ ଫେରିବା ପରେ ସିଏସ୍‌କେ ୨୦୧୮ଠାରୁ ୩୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଖେଳାଳିଙ୍କ ଉପରେ ଟଙ୍କା ଲଗାଉଛି। ଏଥର ୩୦ ବର୍ଷୀୟ ଲେଗ୍‌ ସ୍ପିନର ପୀୟୂଷ ଚାଓ୍ବଲା (୬.୭୫ କୋଟି)ଙ୍କୁ କିଣିଛି। ସେ ୧୩ ବର୍ଷ ତଳେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିଲେ। ସିଏସ୍‌କେ କୋଚ୍‌ ଷ୍ଟିଫେନ ଫ୍ଲେମିଂ ୩୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଖେଳାଳିଙ୍କୁ କିଣିବାର କାରଣ ଜଣାଇଛନ୍ତି। ପ୍ରତ୍ୟେକ ଦଳ ଭଳି ଆମେ ମଧ୍ୟ ଯୁବ ଓ ପ୍ରତିଭାଶାଳୀ ଖେଳାଳି ଚାହୁଁ। ମାତ୍ର ଅନ୍ୟ ଫ୍ରାଞ୍ଚାଇଜମାନେ ସେମାନଙ୍କୁ ଚାହୁଁଥିବାରୁ ପ୍ରାଇସ ମଧ୍ୟ ବଢ଼ୁଛି। ଏଥିସହିତ ୧୯ ବର୍ଷରୁ କମ୍‌ ଖେଳାଳିଙ୍କ ଉପରେ ମଧ୍ୟ ଟଙ୍କା ଲଗାଇବାର କିଛି ଅର୍ଥ ନାହିଁ। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଇଡିଆ ଥିଲା କି, ଅଭିଜ୍ଞ ଖେଳାଳିଙ୍କୁ ନେଇ ଖେଳିବା। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଥିବା ଖେଳାଳିଙ୍କ ପାଇଁ ଆଇପିଏଲ୍‌ ପୂରା ଫିଟ୍‌। କାରଣ ସେମାନେ ଶୀର୍ଷ ସ୍ତରରେ ଚାପର ସମ୍ମୁଖୀନ ହୋଇସାରିଛନ୍ତି। ଏଥିଯୋଗୁ ଶେନ୍‌ ଓ୍ବାଟଶନ, ଇମ୍ରାନ ତାହିର, ହରଭଜନ ସିଂ, ଡ୍ବେନ ବ୍ରାଭୋ ଓ ଫାପ ଡୁଫ୍ଲେସିଙ୍କ ଭଳି ୩୦ରୁ ଊର୍ଦ୍ଧ୍ୱ ବୟସ୍କ ଖେଳାଳିଙ୍କୁ ଦଳରେ ରଖାଯାଇଛି। ସିଏସ୍‌କେ ମ୍ୟାନେଜମେଣ୍ଟ ଅନୁଯାୟୀ, ସମସ୍ତ ବରିଷ୍ଠ ଖେଳାଳିଙ୍କ ଯୋଗୁ ଦଳ ନିୟମିତ ପ୍ରଦର୍ଶନ କରୁଛି। ମାତ୍ର ଏମାନେ ୨୦୨୦ ସୁଦ୍ଧା ବିଦାୟ ନେଇଯିବେ। ଏହାପରେ ୨୦୨୧ରେ ଖେଳାଳିଙ୍କ ବଡ଼ ନିଲାମ ପ୍ରକ୍ରିୟାରେ ସିଏସ୍‌କେ ତା’ର ନୂଆ ଦଳ ଗଠନ କରିବ। ୨୦୨୦ ପରେ କେବଳ ଧୋନୀଙ୍କୁ ରଖାଯିବ। ଯଦି ଅଧିନାୟକ ନିଲାମ ପ୍ରକ୍ରିୟାରେ ଭାଗନେବାକୁ ଚାହାନ୍ତି, ତେବେ ସିଏସ୍‌କେ ପୁଣି କିଣିବ। ଏବେ ତାଙ୍କୁ ୧୫ କୋଟି ଟଙ୍କା ମିଳୁଛି।

Share