ଭୂତ ଭୟ: ସ୍କୁଲ ହଷ୍ଟେଲ ଛାଡ଼ିଲେ ୪୦ ଛାତ୍ରୀଛାତ୍ର

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପ୍ରାଥମିକ ବିଦ୍ୟାଳୟର ସ୍ବଳ୍ପବ୍ୟୟ ଆବାସିକ ହଷ୍ଟେଲରେ ଅଭାବନୀୟ ଘଟଣା ଘଟିଛି। ଭୂତ ଭୟରେ ହଷ୍ଟେଲରେ ଥିବା ସମସ୍ତ ଛାତ୍ରୀଛାତ୍ର ଘରକୁ ଚାଲିଯାଇଥିବା ଜଣାପଡ଼ିଛି। ତେବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୦ଜଣ ଛାତ୍ରୀଛାତ୍ର ରହୁଥିବା ବେଳେ ଏବେ ସ୍କୁଲ ପରିସର ଶୂନ୍‌ଶାନ ହୋଇପଡ଼ିଛି।

ସୂଚନାନୁଯାୟୀ, ହଷ୍ଟେଲ ପାର୍ଶ୍ୱରେ ଥିବା ପରସ୍ରାଗାରକୁ ଯିବା ମାତ୍ରେ ଛାତ୍ରୀମାନେ ଚିତ୍କାର କରି ଚେତାଶୂନ୍ୟ ହୋଇପଡ଼ୁଛନ୍ତି। ଏହିଭଳି ୭ଜଣ ଚେତାଶୂନ୍ୟ ହୋଇ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ଫେରିଥିବା କିଛି ଛାତ୍ରୀ ସ୍କୁଲ ପରିସରରେ ପୁଣି ଚେତାଶୂନ୍ୟ ହୋଇଯିବା ଘଟଣା ସ୍କୁଲରେ ଭୟର ବାତାବରଣ ବଢ଼ାଇବା ସହ ଅଭିଭାବକମାନଙ୍କୁ ଚିନ୍ତାରେ ପକାଇଛି। ଭୟଭିତ ଅଭିଭାବକମାନେ ନିଜ ପିଲାମାନଙ୍କୁ ସ୍କୁଲରୁ ଘରକୁ ନେଇ ଯାଇଛନ୍ତି।

ଗ୍ରାମବାସୀଙ୍କ କହିବାନୁଯାୟୀ, ପୂର୍ବରୁ ଏହି ସ୍ଥାନରେ ଭୌତିକ ଘଟଣା ସାମ୍ନାକୁ ଆସୁଥିଲେ ହେଁ ସ୍କୁଲ ଆରମ୍ଭ ହେବା ପରଠାରୁ କୌଣସି ଘଟଣା ସାମ୍ନାକୁ ଆସି ନ ଥିଲା। ମାତ୍ର ଗତ ୨ ଦିନ ଧରି ଏପରି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଭୌତିକ କାରଣ ହେଉ ଅଥବା ଅନ୍ୟ କିଛି, ସେ ଦିଗରେ ଶିଘ୍ର ପଦକ୍ଷେପ ଗ୍ରହଣ କରି ସ୍କୁଲରେ ଶିକ୍ଷାଦାନ ସ୍ବାଭାବିକ କରିବା ପାଇଁ ଦାବି ହୋଇଛି। ଏବେ ବିଦ୍ୟାଳୟରେ ଉପସ୍ଥାନ କମିଯାଇଛି।