ଭୂତସରସିଙ୍ଗି ସମିତିସଭ୍ୟ ପଦବୀ ଅସିଦ୍ଧ

ଛତ୍ରପୁର,୨୫ା୧୨(ଡି.ଏନ୍‌.ଏ.): ପୁରୁଷୋତ୍ତମପୁର ବ୍ଲକ ଭୂତସରସିଙ୍ଗି ପଞ୍ଚାୟତର ସମିତିସଭ୍ୟ ପଦବୀକୁ ଛତ୍ରପୁର ସିଭିଲ ଜଜ୍‌ (ସିନିୟର ଡିଭିଜନ) ସ୍ବଂୟପ୍ରଭା ଆଚାର୍ଯ୍ୟ ମଙ୍ଗଳବାର ଅସିଦ୍ଧ ଘୋଷଣା କରିଛନ୍ତି। ଭୂତସରସିଙ୍ଗି ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିବା ରମେଶ ନାୟକଙ୍କ ୩ ସନ୍ତାନ ଥିବା ଦର୍ଶାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବନମାଳୀ ପ୍ରଧାନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରମେଶଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିବାକୁ ସେ ଏକ ପିଟିଶନ (୧/୧୭) ଛତ୍ରପୁର କୋର୍ଟରେ ଦାଖଲ କରିଥିଲେ। ସାକ୍ଷ୍ୟ ପ୍ରମାଣକୁ ଆଧାର କରି କୋର୍ଟ ରମେଶଙ୍କ ସମିତିସଭ୍ୟ ପଦବୀକୁ ଅସିଦ୍ଧ ଘୋଷଣା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଓକିଲ ଦେବେନ୍ଦ୍ର କୁମାର ମିଶ୍ର, ପ୍ରତିପକ୍ଷଙ୍କ ପକ୍ଷରୁ ଓକିଲ କୃଷ୍ଣଚନ୍ଦ୍ର ସାହୁ, ସରକାରଙ୍କ ପକ୍ଷରୁ ଓକିଲ ସୁରେଶ ପଣ୍ଡା ମାମଲା ପରିଚାଳନା କରୁଥିଲେ। ସୂଚନାଯୋଗ୍ୟ, ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ସମିତିସଭ୍ୟ ଓ ସରପଞ୍ଚମାନଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଏଭଳି ସମୟରେ ଜଣେ ସମିତିସଭ୍ୟଙ୍କ ପଦବୀ ଅସିଦ୍ଧ ଘୋଷଣା ପରେ ରାଜନୈତିକ ଉଷ୍ମତା ଦେଖାଦେଇଛି।