ଭୁଲ୍‌ ସିଗ୍‌ନାଲ ଯୋଗୁ ଷ୍ଟେଶନରେ ନ ରହି ଚାଲିଗଲା ଟ୍ରେନ: କାର୍ଯ୍ୟରୁ ନିଲମ୍ବିତ ହେଲେ ଷ୍ଟେଶନ ମାଷ୍ଟର

ସୁନ୍ଦରଗଡ଼,୯।୩ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଷ୍ଟେଶନମାଷ୍ଟରଙ୍କୁ ଦକ୍ଷିଣ-ପୂର୍ବ ରେଳପଥ କର୍ତ୍ତୃପକ୍ଷ ସୋମବାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଷ୍ଟେଶନ ମାଷ୍ଟର ସନ୍ତୋଷ କୁମାର ମିଶ୍ରଙ୍କ କାର୍ଯ୍ୟରେ ଅବହେଳା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି।
ମିଶ୍ରଙ୍କ ଖାମଖିଆଲି କାର୍ଯ୍ୟ ଓ ଭୁଲ ସିଗ୍‌ନାଲ ଯୋଗୁ ପାଟନାରୁ ବିଳାସପୁର ଯାଉଥିବା ଟ୍ରେନଟି ଷ୍ଟେଶନରେ ରହି ନ ଥିଲା। ଏ ନେଇ ଷ୍ଟେଶନରେ ଅପେକ୍ଷା କରିଥିବା ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ସୂଚନାନୁଯାୟୀ, ବିହାରର ପାଟନାରୁ ଉକ୍ତ ସାପ୍ତାହିକୀ ଟ୍ରେନଟି ଛତିଶଗଡ଼ର ବିଳାସପୁରକୁ ଯାଉଥିଲା। ରବିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏହି ଦ୍ରୁତଗାମୀ ଟ୍ରେନର ରାଜଗାଙ୍ଗପୁର ଷ୍ଟେଶନରେ ରହଣି ଥିଲା। ଟ୍ରେନଟି ଷ୍ଟେଶନର ୧ ନଂ. ପ୍ଲାଟଫର୍ମରେ ଆସିବାକୁ ଥିବାବେଳେ ଷ୍ଟେଶନମାଷ୍ଟର ଭୁଲବଶତଃ ୨ନଂ. ପ୍ଲାଟଫର୍ମରେ ଆସିବା ଲାଗି ସିଗ୍‌ନାଲ ଦେଇଥିଲେ । ଟ୍ରେନ୍‌ଟି ଷ୍ଟେଶନରେ ନ ଅଟକି ଚାଲିଯିବାରୁ ଏଥିରେ ଯାତ୍ରା କରିବାକୁ ଥିବା ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ ହୋହଲ୍ଲା କରିଥିଲେ। ଏପରିକି ଉକ୍ତ ଟ୍ରେନରେ ରାଜଗାଙ୍ଗପୁର ଷ୍ଟେଶନରେ ଓହ୍ଲାଇବାକୁ ଥିବା ଯାତ୍ରୀମାନେ ଓହ୍ଲାଇ ପାରି ନ ଥିଲେ । ପରେ ଏହି ଟ୍ରେନଟିକୁ ଗଡପୋଷ ଷ୍ଟେଶନଠାରେ ଅଟକାଯାଇଥିଲା ଓ ସେହି ଟ୍ରେନରେ ଯାତ୍ରା ପାଇଁ ରାଜଗାଙ୍ଗପୁର ଷ୍ଟେଶନରେ ଅଟକି ଥିବା ଯାତ୍ରୀମାନଙ୍କୁ ରାଉରକେଲା ଇସ୍ପାତ ଟ୍ରେନରେ ପଠାଯାଇଥିଲା। ସେମାନେ ଉକ୍ତ ଟ୍ରେନ୍‌ରେ ଚଢିଥିଲେ। ପରେ ରାଜଗାଙ୍ଗପୁରରେ ଓହ୍ଲାଇବାକୁ ଥିବା ଯାତ୍ରୀମାନଙ୍କୁ ସମ୍ବଲପୁରଠାରୁ ବନାରସ ଟ୍ରେନରେ ରାଜଗାଙ୍ଗପୁରକୁ ପଠା ଯାଇଥିଲା। ଅପରପକ୍ଷେ ଟ୍ରେନରେ ଏସ ୪୦ ବଗିରେ ଥିବା ଜଣେ ବରିଷ୍ଠ ଯାତ୍ରୀ ନିଖୋଜ ଥିବା ଅଭିଯୋଗ ହୋଇଛି ।