ଭୁବନେଶ୍ୱରରେ ମିଳିବ ପ୍ରଶାସନିକ ସେବା ଲାଗି କୋଚିଂ- ଜୁନ୍‌ ୨୪ରୁ କ୍ଲାସ୍‌ ଆରମ୍ଭ

ଭୁବନେଶ୍ୱର,୧୧।୬(ବ୍ୟୁରୋ)-ଏଣିକି ପ୍ରଶାସନିକ ସେବା କୋଚିଂ ଲାଗି ବାହାର ରାଜ୍ୟକୁ ଯିବାକୁ ପଡ଼ିବନି। ପ୍ରତିଭାବାନ ଆଶାୟୀଙ୍କୁ ଭୁବନେଶ୍ୱରରେ ଉନ୍ନତମାନର କୋଚିଂ ଦିଆଯିବ। ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା ହାର କମୁଥିବାରୁ ଏଥିରେ ସୁଧାର ଆଣିବାକୁ ଉଚ୍ଚ ଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି। ଜୁନ୍‌ ୨୪ରୁ କୋଚିଂ କ୍ଲାସ୍‌ ଆରମ୍ଭ ହେବାକୁ ଥିବାବେଳେ ପ୍ରଥମ ବର୍ଷରେ ୧୦୦ଜଣ ଆଶାୟୀଙ୍କୁ କୋଚିଂ ଦିଆଯିବ। ଏଥିପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ବର୍ଷେ ଅବଧି ରହୁଥିବା ଏହି କୋଚିଂ କ୍ଲାସ୍‌ରେ ପ୍ରିଲିମ୍‌ନାରି ଓ ମେନ୍‌ ପର୍ଯ୍ୟାୟ ପରୀକ୍ଷା ଲାଗି ପାଠ ପଢ଼ାଯିବ। ଏଥିନିମନ୍ତେ ଉଚ୍ଚ ଶିକ୍ଷା ବିଭାଗ ଏକ ସଂସ୍ଥାକୁ ନିୟୋଜିତ କରିଛି ବୋଲି ବିଭାଗ ଅତିରିକ୍ତ ସଚିବ ପାର୍ଥସାରଥୀ ମିଶ୍ର ସୂଚନା ଦେଇଛନ୍ତି। ଯେଉଁ ଆଶାୟୀଙ୍କ ଅଭିଭାବକଙ୍କ ବାର୍ଷିକ ରୋଜଗାର ୨ଲକ୍ଷ ଟଙ୍କାରୁ ଅଧିକ, ସେମାନେ କୋଚିଂ ପାଇଁ ୨୫ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ। ଯେଉଁ ଆଶାୟୀଙ୍କ ପରିବାରର ବାର୍ଷିକ ରୋଜଗାର ୨ଲକ୍ଷ ଟଙ୍କାରୁ କମ୍‌ ଥିବ, ସେମାନେ ମାଗଣାରେ କୋଚିଂ ପାଇବେ। ଏହାଦ୍ୱାରା ଆର୍ଥିକ ଦୁର୍ବଳ ଶ୍ରେଣୀର ପ୍ରତିଭାବାନ ଛାତ୍ରୀଛାତ୍ର ଉନ୍ନତମାନର କୋଚିଂ ପାଇପାରିବେ ବୋଲି ଆଶା କରାଯାଉଛି। ପୂର୍ବରୁ ରାଜ୍ୟର ୧୦ ବିଶ୍ୱବିଦ୍ୟାଳୟ ଓ ୫୨ ସରକାରୀ ଡିଗ୍ରୀ କଲେଜରେ ପ୍ରଶାସନିକ ସେବା ଲାଗି କୋଚିଂ ସେଣ୍ଟର ଖୋଲାଯାଇଛି। ଏବେ ରାଜଧାନୀରେ ପ୍ରଶାସନିକ ସେବା ଲାଗି କୋଚିଂ ହବ୍‌ ଖୋଲିବା ନିଷ୍ପତ୍ତି ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ସଫଳତା ଆଣିଦେବ ବୋଲି ଆଶା କରାଯାଉଛି।