ଭୁବନେଶ୍ୱରରେ ବଢ଼ିଚାଲିଛି ମୋଟର ଯାନ: କାର୍ଯ୍ୟକାରୀ ହେବ ଲୋ କାର୍ବନ ମୋବିଲିଟି ପ୍ଲାନ

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅନୁଯାୟୀ ୨୦୧୯ରେ ପଞ୍ଜୀକୃତ ଗାଡ଼ି ସଂଖ୍ୟା ହେଉଛି ୧୪ ଲକ୍ଷ, ଯାହା ସହରର ଜନସଂଖ୍ୟା(ପ୍ରାୟ ୧୦ ଲକ୍ଷ)ଠାରୁ ଯଥେଷ୍ଟ ଅଧିକ। ୮୦%ରୁ ଊର୍ଦ୍ଧ୍ୱ ଲୋକ ଗମନାଗମନ ପାଇଁ ନିଜସ୍ବ ଗାଡ଼ି ଉପରେ ନିର୍ଭର କରନ୍ତି ବୋଲି ଭୁବନେଶ୍ୱରର ପରିବହନ କ୍ଷେତ୍ରର ପରିସଂଖ୍ୟାନରୁ ଜଣାପଡ଼ିଛି। ଏଥିରୁ ପ୍ରଦୂଷଣ, ଦୁର୍ଘଟଣା, ଟ୍ରାଫିକ୍‌ ଜାମ୍‌ର ଭୟାବହତାକୁ ସହଜରେ ଅନୁମାନ କରାଯାଇପାରେ। ଆସନ୍ତା ୨୦ ବର୍ଷ ମଧ୍ୟରେ ସହର ଜନସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇବା ଆକଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରକୁ ସୁସ୍ଥକର, ସୁନ୍ଦର ଓ ବସତିଯୋଗ୍ୟ କରିବା ପାଇଁ ଅତି ଯତ୍ନ ସହକାରେ ଗମନାଗମନ ଯୋଜନା ପ୍ରସ୍ତୁତ କରାଯିବା ଜରୁରୀ। ଏହାକୁ ଗୁରୁତ୍ୱ ଦେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଗୃହ ଓ ସହରାଞ୍ଚଳ ଉନ୍ନୟନ ବିଭାଗ ସହାୟତାରେ ସହରରେ କାର୍ଯ୍ୟକାରୀ କରିବାକୁ ଯାଉଛି ଲୋ କାର୍ବନ ମୋବିଲିଟି ପ୍ଲାନ(ଏଲ୍‌ସିଏମ୍‌ପି)। ଏଥିପାଇଁ ଜର୍ମାନୀର ଏକ ଡେଭଲପମେଣ୍ଟ ଏଜେନ୍ସି ‘ଜିଆଇଜେଡ୍‌’ସହ ୨୦ ବର୍ଷିଆ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଛି। ଏଲ୍‌ସିଏମ୍‌ପି ସହରାଞ୍ଚଳ ପରିବହନ କ୍ଷେତ୍ରକୁ ବିକଶିତ, ଉନ୍ନତ କରିବା ସହ ଏହାକୁ ଯାଞ୍ଚ କରିବ।
ବିଡିଏର ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଏଲସିଏମ୍‌ପି ହେଉଛି ବିଡିଏ ଦ୍ୱାରା ଗ୍ରହଣ କରଯାଇଥିବା ଏକ ରଣକୌଶଳ। ଏଲସିଏମ୍‌ପି ସହରର ବିକାଶକୁ ମାର୍ଗ ଦର୍ଶାଇଥାଏ। ଏହାଦ୍ୱାରା ଅତ୍ୟଧିକ ସମୟ ଗମନାଗମନ ସତ୍ତ୍ୱେ ଶକ୍ତି ଖର୍ଚ୍ଚ ଓ ନିର୍ଗମନ କମ୍‌ ହୋଇଥାଏ। ନାଗରିକଙ୍କୁ ଏକ ସୁରକ୍ଷିତ ତଥା ଉତ୍ତମ ମାନର ସେବା ପ୍ରଦାନ କରିଥାଏ। ପରିବେଶ ଉପରେ କ୍ଷତିକାରକ ପ୍ରଭାବଗୁଡ଼ିକୁ କମ୍‌ କରିଥାଏ। ଏଲ୍‌ସିଏମ୍‌ପିର ସଫଳ ରୂପାୟନ ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି), ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ(ବିଏସ୍‌ସିଏଲ), କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ), ଭୁବନେଶ୍ୱର ଅର୍ବାନ ନଲେଜ ସେଣ୍ଟର (ବିୟୁକେସି) ଏବଂ ପବ୍ଲିକ ୱାର୍କ ଡିପାର୍ଟମେଣ୍ଟ(ପିଡବ୍ଲ୍ୟୁଡି)ରୁ ପ୍ରତିନିଧିଙ୍କୁ ନେଇ ଏକ କାର୍ଯ୍ୟକାରୀ ସମିତି ଗଠନ କରାଯାଇଛି। ଏହାି ବିଡିଏ ଦ୍ୱାରା ପରିଚାଳିତ ହେବ ବୋଲି ସେ କହିଛନ୍ତି।