ଭୁବନେଶ୍ୱରରୁ ସୁରଟ ଉଡ଼ିଲା ବିମାନ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଭୁବନେଶ୍ୱରରୁ ସୁରଟକୁ ସୋମବାର ସିଧାସଳଖ ବିମାନସେବା ଆରମ୍ଭ ହୋଇଛି। ପ୍ରଥମ ଦିନରେ ୮୧ ଯାତ୍ରୀଙ୍କୁ ନେଇ ସକାଳ ୮ଟା ୪୦ ମିନିଟ୍‌ରେ ସୁରଟ ଅଭିମୁଖେ ଉଡ଼ାଣ କରିଥିଲା ଏୟାର ଇଣ୍ଡିଆର ଏ୩୨୧ ବିମାନ। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ବିମାନରେ ଯାତ୍ରା କରିବା ସହ ନିଜର ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏହି ସେବା ଲାଗି ଦୀର୍ଘ ସମୟରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଆଲୋଚନା ଚାଲିଥିଲା। ତେବେ ଏୟାର ଇଣ୍ଡିଆ ଏନେଇ ଇଚ୍ଛା ପ୍ରକାଶ କରିବାରୁ ସେବା ଆରମ୍ଭ ହୋଇପାରିଛି। ପ୍ରଥମ ଦିନରେ ବିମାନର ସମସ୍ତ ଇକୋନୋମିକ୍‌ କ୍ଲାସ୍‌ ଟିକେଟ୍‌ ବିକ୍ରି ହୋଇଥିବାବେଳେ ଆଗାମୀ ଦିନରେ ଏହି ସେବା ସଫଳ ହେବ ବୋଲି ଏମ୍‌ପି କହିଛନ୍ତି। ସୂଚନା ଯେ, ପୂର୍ବରୁ ଦୁଇଟି ସହର ମଧ୍ୟରେ ଯାତ୍ରା କରିବା ପାଇଁ ପ୍ରାୟ ୩୫ ଘଣ୍ଟା ସମୟ ଲାଗୁଥିଲା। ହେଲେ ଏବେ ମାତ୍ର ଦୁଇଘଣ୍ଟାରେ ଲୋକେ ଯାତ୍ରା କରିପାରିବେ। ତେବେ ସପ୍ତାହକୁ ଦୁଇଥର ଏହି ସେବା ପ୍ରଦାନ କରିବ ଏୟାର ଇଣ୍ଡିଆ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରତି ସୋମବାର ଓ ଗୁରୁବାର ସକାଳ ୮ଟା ୪୦ମିନିଟ୍‌ରେ ବିମାନଟି ଉଡ଼ାଣ କରି ୧୦ଟା ୪୦ମିନିଟ୍‌ରେ ସୁରଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ। ସେହିପରି ପ୍ରତି ଶୁକ୍ରବାର ଓ ରବିବାର ସୁରଟରୁ ସକାଳ ୮ଟା ୩୦ରେ ବାହାରି ଭୁବନେଶ୍ୱରରେ ୧୦ଟା ୩୦ମିନିଟ୍‌ରେ ଅବତରଣ କରିବ। ଭୁବନେଶ୍ୱରରୁ ସୁରଟକୁ ଅତି କମ୍‌ରେ ୪୫୦୩ ଟଙ୍କା ଭଡ଼ା ରହିଥିବାବେଳେ ସୁରଟରୁ ଭୁବନେଶ୍ୱରକୁ ଅତି କମ୍‌ରେ ୪୨୧୩ ଟଙ୍କା ଭଡ଼ା ରହିଛି। ଅନ୍ୟପଟେ ପ୍ରଥମ ଦିନ ଦୁଇଟି ସହର ମଧ୍ୟରେ ବିମାନସେବା ଆରମ୍ଭ ହେବା ପରେ ଯାତ୍ରୀଙ୍କ ମନରେ ଖୁସି ଦେଖାଯାଇଥିଲା। ସୁରଟରେ ଅନେକ ଓଡ଼ିଆ କର୍ମସଂସ୍ଥାନ ପାଇଁ ରହୁଛନ୍ତି। ସେମାନଙ୍କ ଲାଗି ଏହି ବିମାନସେବା ଅତ୍ୟନ୍ତ ଉପାଦେୟ ହୋଇପାରିଛି। ସେହିପରି ଗୁଜରାଟର ଅନେକ ଲୋକ ମଧ୍ୟ ଓଡ଼ିଶାରେ ରହୁଛନ୍ତି। ଓଡ଼ିଶାରୁ ଗୁଜରାଟର କୌଣସି ସହରକୁ ସିଧାସଳଖ ବିମାନ ଚଳାଚଳ ବ୍ୟବସ୍ଥା ନାହିଁ। ତେଣୁ ଗୁଜରାଟୀମାନେ ମଧ୍ୟ ଏହି ବିମାନସେବା ଦ୍ୱାରା ଉପକୃତ ହେବେ। ସୋମବାର ଉଭୟ ଓଡ଼ିଆ ଏବଂ ଗୁଜରାଟୀ ଏହି ବିମାନ ଯାତ୍ରା କରିଛନ୍ତି। ଏହାଛଡ଼ା ଦୁଇଟି ସହର ମଧ୍ୟରେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ହେବ ବୋଲି ଆଶା କରାଯାଉଛି। କାରଣ ଓଡ଼ିଶାର ଶାଢ଼ି ସୁରଟକୁ ଯାଇପାରିବ ଏବଂ ସୁରଟରୁ ମଧ୍ୟ ପୋଷାକ ଓଡ଼ିଶାକୁ ଆସିପାରିବ।