ଭୁବନେଶ୍ୱରରୁ ରାସ୍‌-ଅଲ୍‌-ଖଇମା ମଧ୍ୟରେ ବିମାନସେବା ଦାବି: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ଭୁବନେଶ୍ୱର ଏବଂ ୟୁଏଇସ୍ଥିତ ରାସ-ଅଲ୍‌-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱର ବିମାନବନ୍ଦର ଆନ୍ତର୍ଜାତୀୟ ବିମାନବନ୍ଦର ଭାବେ ପରିଚାଳିତ ହେବା ପରେ ୨୦୧୫ରୁ ଏଠାକୁ ବିଦେଶୀ ଯାତ୍ରୀ ଏବଂ ଏନ୍‌ଆର୍‌ଆଇଙ୍କ ସଂଖ୍ୟା ବଢ଼ିଛି। ଏପରିକି ଭୁବନେଶ୍ୱରରରୁ ରାସ-ଅଲ୍‌-ଖଇମା ସହର ମଧ୍ୟରେ ସିଧାସଳଖ ବିମାନସେବା ଆରମ୍ଭ କରିବା ପାଇଁ ଓଡ଼ିଆ ଏନ୍‌ଆର୍‌ଆଇ ଏବଂ ମଧ୍ୟ ପ୍ରାଚ୍ୟ ଦେଶଗୁଡ଼ିକରେ କାମ କରୁଥିବା ଓଡ଼ିଆଲୋକେ ଦୀର୍ଘଦିନରୁ ଦାବି କରୁଛନ୍ତି। ଏଣୁ ଏପରି ସୁବିଧା ହେବା ଦ୍ୱାରା ବିଶେଷ ଭାବେ ଆବୁଧାବୀ, ଦୁବାଇ, ଶର୍‌ଜାହ, ରିଆଦ୍‌, ବାହରେନ୍‌ ଏବଂ ଅନ୍ୟାନ୍ୟ ଉପସାଗରୀୟ ଦେଶଗୁଡ଼ିକରେ କାମ କରୁଥିବା ଅଧିକ ସଂଖ୍ୟକ ଓଡ଼ିଆ ଲୋକେ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛନ୍ତି।

ସେହିଭଳି ବର୍ତ୍ତମାନ ଏୟାର ଏସିଆ ଦ୍ୱାରା ପରିଚାଳିତ ହେଉଥିବା ଏକମାତ୍ର ବିମାନ ସିଧାସଳଖ ଭୁବନେଶ୍ୱରରୁ ମାଲେସିଆର କ୍ୱାଲାଲାମପୁର ପର୍ଯ୍ୟନ୍ତ ଚଳାଚଳ କରୁଛି। ଏବେ ଭୁବନେଶ୍ୱର ବିମାନବନ୍ଦର ଦେଶର ପ୍ରମୁଖ ବିମାନବନ୍ଦରରେ ପରିଗଣିତ ହେଲାଣି। ରାସ୍‌-ଅଲ୍‌-ଖଇମାରେ ନୂଆ ବିମାନସେବା ପାଇଁ ସ୍ପାଇସ୍‌ ଜେଟ୍‌ ଏବଂ ୟୁଏଇ ମଧ୍ୟରେ ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏବେ ଏଣୁ ଏହି ବିମାନ ଚଳାଚଳ ପାଇଁ ସ୍ପାଇସ୍‌ ଜେଟ୍‌କୁ ସୁପାରିଶ କରିବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଥିବା ଧର୍ମେନ୍ଦ୍ର ପତ୍ରରେ ଉଲ୍ଲେଖ କରିଛନ୍ତି। ଏହାଫଳରେ ଭାରତ ଏବଂ ୟୁଏଇ ସମ୍ପର୍କ ମଜଭୂତ କରିବ ଏବଂ ଦୁଇ ଦେଶର ବ୍ୟବସାୟକୁ ମଧ୍ୟ ବଦଳାଇବାରେ ସହାୟକ ହେବ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ ରହିଛି।