ଭିନ୍ନ ପ୍ରକାର ପୁନଃଚକ୍ରୀକରଣ

ଡ. ଚିନ୍ତାମଣି ପଣ୍ଡା
ଶ୍ରୀମନ୍ଦିରର ଆନନ୍ଦ ବଜାରରେ ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ଦୈନ୍ୟ ଅଙ୍ଗଭଙ୍ଗୀ ପ୍ରଦର୍ଶନ ପୂର୍ବକ ଅତ୍ୟନ୍ତ ଆକୁଳ ଚିତ୍ତରେ ଭୋଜନାର୍ଥୀମାନଙ୍କୁ ନିଜର କ୍ଷୁଧା ନିବେଦନ କରୁଥାନ୍ତି। ଦୟାବିଗଳିତ ହୋଇ ଜନୈକ ସହୃଦୟ ବ୍ୟକ୍ତି ଅନ୍ନବ୍ୟଞ୍ଜନ ଦାନରେ ନିଜର ବଦାନ୍ୟତା ପ୍ରକାଶ କରନ୍ତେ ବୁଭୁକ୍ଷୁ ଜଣକ ସହସା ଅନେକ ଯୁଗର କ୍ଷୁଧାକୁ ନିବାରଣ କରିବା ଢଙ୍ଗରେ ଭୋଜନରେ ମଜ୍ଜିଗଲେ। କିନ୍ତୁ ଏ କ’ଣ! ଦାତାଙ୍କ ଅଲକ୍ଷ୍ୟରେ କିଛି ବ୍ୟଞ୍ଜନ ଭର୍ତ୍ତି ପ୍ରସାଦ କୁଡୁଆକୁ ଗଣ୍ଠିଲି ଭିତରେ ଲୁଚାଇ ରଖିଲେ। ଆମେ ଭାବିଲୁ ବୋଧହୁଏ ତାଙ୍କ ପରିବାରର କ୍ଷୁଧାର୍ତ୍ତମାନଙ୍କ ନିମନ୍ତେ ଏହା ଉଦ୍ଦିଷ୍ଟ। କିନ୍ତୁ କେତେ ମୁହୂର୍ତ୍ତ ପରେ ପୁନଶ୍ଚ ପୂର୍ବୋକ୍ତ ସ୍ଥାନରେ ଦଣ୍ଡାୟମାନ ହୋଇ ‘ହା ଅନ୍ନ’ ‘ହା ଅନ୍ନ’ ଚିତ୍କାର କଲେ। କିଛି ସମୟ ପରେ ବାଳକଟିଏ ତାଙ୍କଠୁ ଗଣ୍ଠିଲିରେ ସାଇତା କୁଡୁଆଗୁଡିକୁ ନେଇ ନିର୍ଦ୍ଦିଷ୍ଟ ପିଣ୍ଡିଟିଏ ଉପରେ ବିକ୍ରି ହେଉଥିବା ମହାପ୍ରସାଦ ସହ ମିଶାଇଦେଲା ନୂତନ ଗରାଖଙ୍କ ଉପଯୋଗ ନିମନ୍ତେ। ଘଟଣାଟି ପ୍ରତ୍ୟହ ଉକ୍ତ ଅଞ୍ଚଳରେ ଘଟୁଥିବା ଏକ ସାଧାରଣ ଦୃଶ୍ୟରେ ପରିଣତ ହୋଇଯାଇଥିବାରୁ କାହାର ଏଥିପ୍ରତି ନିଘା ନାହିଁ। କିନ୍ତୁ ପ୍ରକାରାନ୍ତରେ ଖାଦ୍ୟର ଏପ୍ରକାର ପୌନଃପୁନିକ ଉପଯୋଗକୁ ଆମେ ଭିନ୍ନ ପ୍ରକାର ରିସାଇକ୍ଲିଙ୍ଗ ବା ପୁନଃଚକ୍ରୀକରଣ କହିପାରିବା କି ନାହିଁ?
କେବଳ ସେତିକି ନୁହଁ, ଧର୍ମପୀଠଗୁଡ଼ିକରେ ଦାନ କରାଯାଉଥିବା ବସ୍ତ୍ର, ପୁଷ୍ପ ଓ ଅନ୍ୟାନ୍ୟ ଦ୍ରବ୍ୟସବୁ ମଧ୍ୟ ଏପରି ଢଙ୍ଗରେ ପୁନର୍ବିନିଯୋଗ ହୋଇଥାଏ। ପର୍ବପର୍ବାଣି କିମ୍ବା ସାମାଜିକ ଅନୁଷ୍ଠାନ ଯଥା ବିବାହ, ବ୍ରତ ଇତ୍ୟାଦିରେ ପୂଜକଙ୍କଠାରୁ ଆମେ ଏକ ଲମ୍ବା ତାଲିକା ପାଇଥାଉ। ତାଙ୍କର ଏକ ନିର୍ଦ୍ଦିଷ୍ଟ ଦୋକାନ ସହିତ ସହବନ୍ଧନ ଥାଏ। ତେଣୁ ସେହିଠାରୁ ପୂଜା ସାମଗ୍ରୀ କିଣିଲେ ବଳକା ସାମଗ୍ରୀ ଫେରାଇ ପୁରୋଧା ଲାଭାନ୍ବିତ ହେଉଥିବାର ଅନୁଭବ କରିଛୁ। ବେଳେ ବେଳେ ନନାମାନେ ନିଜ ତରଫରୁ ଅନେକ ପୂଜା ସାମଗ୍ରୀ ଯୋଗାଡ଼ କରି ଦେଇଥାନ୍ତି, ଯଥା ମାଟିପାତ୍ର, ପଇତା, ଗାମୁଛା ଇତ୍ୟାଦି, ଯାହାର ମୂଲ୍ୟକୁ ଦକ୍ଷିଣା ସହିତ ଯୋଡ଼ା ଯାଇଥାଏ। ଏସବୁ ଦ୍ରବ୍ୟ ଯଜମାନ ମଧ୍ୟ କିଛି ଶସ୍ତାରେ ପାଇ ଖୁସି ହୋଇଥାଏ। କିନ୍ତୁ ଜାଣିପାରେନା ଏହା ଅନ୍ୟ ଏକ ପୂଜାର ଉଦ୍‌ବୃତ୍ତ ସାମଗ୍ରୀ ବୋଲି। ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଆବଶ୍ୟକ ଉପକରଣ ନାଁରେ ଯେଉଁ ଚିଠାଟି ଧରାଇଦିଆଯାଏ, ତହିଁରୁ ଅନେକ ଯେ ଅନାବଶ୍ୟକ ତଥା ସ୍ବେଚ୍ଛାକୃତ ଭାବେ ଦିଆଯାଇଥାଏ ଏହା କହିବା ବାହୁଲ୍ୟ ମାତ୍ର।
କାଠମିସ୍ତ୍ରିଠାରୁ ଆରମ୍ଭ କରି ରଙ୍ଗମିସ୍ତ୍ରି ପର୍ଯ୍ୟନ୍ତ ସମସ୍ତେ ଏହିପରି ଲମ୍ବା ତାଲିକା ଦେଇଥାନ୍ତି। ଏକ ନିର୍ଦ୍ଦିଷ୍ଟ ଦୋକାନ ସହିତ ସଲାସୁତୁରା କରି ଗରାଖମାନଙ୍କୁ ସେଠାରୁ କିଣିବାକୁ ପ୍ରରୋଚିତ କରିଥାନ୍ତି। ଫଳରେ ବିକ୍ରି-ଖର୍ଦ୍ଦି ଉପରେ ମୁନାଫା ସହିତ ବଳକା ଜିନିଷ ଫେରାଇ ମଧ୍ୟ ଦୁଇ ପଇସା ହାତଚିକ୍କଣ କରିଥାନ୍ତି, ଯାହାକୁ ମଜୁରି ବାଦ୍‌ ଉପୁରି ବୋଲି ଭାବିପାରିବା। ବୈଦ୍ୟୁତିକ ସରଞ୍ଜାମ ସଜାଡୁଥିବା କାରିଗରଟିଏ ଯେଉଁ ଚିଠାଟି ଆମକୁ ମରାମତି ପରେ ଧରାଇଥାଏ, ସେଥିରୁ କେତୋଟି ଜିନିଷ କାମରେ ବ୍ୟବହୃତ ହୋଇଛି ତାହା ଜାଣିବା ଆମ ସାଧ୍ୟ ବାହାରେ। ସ୍ବର୍ଣ୍ଣକାରଟିଏ ବ୍ରୋଞ୍ଜମିଶା ଚୁଡିରେ ୫୦ ଭାଗ ସୁନା ଅଛି ବୋଲି କହିଲେ ବି ଆମେ ବିଶ୍ୱାସରେ ହଁ ଭରିଥାଉ। ଠିକ୍‌ ସେହିପରି ସରକାରୀ କିମ୍ବା ବେସରକାରୀ ସେବା କ୍ଷେତ୍ରରେ ନିୟୋଜିତ ଗାଡିଚାଳକଗଣ ତେଲଟାଙ୍କି ସହିତ ବନ୍ଧୁତା ସ୍ଥାପନ କରିଥାନ୍ତି। ବଳକା ତେଲର ପୁନଃଚକ୍ରୀକରଣ ନିମନ୍ତେ।
ଏ ସବୁରୁ ଦ୍ୱିତୀଶ୍ୱର ଡାକ୍ତରମାନେ ମଧ୍ୟ ବାଦ୍‌ ପଡନ୍ତିନି। ଗ୍ଲୋଭ୍‌ସଠାରୁ ଆରମ୍ଭକରି ଗଜ୍‌ କନା ପର୍ଯ୍ୟନ୍ତ ସାମଗ୍ରୀର ଏକ ଲମ୍ବା ଚିଠା ରୋଗୀର ସମ୍ପର୍କୀୟଙ୍କୁ ଧରାଇ ଏକ ନିର୍ଦ୍ଦିଷ୍ଟ ଔଷଧ ଦୋକାନର ଠିକଣା ବତାଇ ଦେଇଥାନ୍ତି। କାରଣ ଅସ୍ତ୍ରୋପଚାର ପରେ ଅନେକ ବଳକା ସାମଗ୍ରୀ ପୁଣି ସେଠାକୁ ଫେରସ୍ତ ଯିବ, ଅବଶ୍ୟ ରୋଗୀ କିମ୍ବା ତା’ ସମ୍ପର୍କୀୟଙ୍କ ଅଗୋଚରରେ। ସେହିପରି ଠିକାଦାର ପାଖରେ କାମ କରୁଥିବା ମୁନ୍‌ସୀଟିଏ ରଡ ଖଣ୍ଡିଏ କି ସିମେଣ୍ଟ କେତେ ବସ୍ତା ବଳାଇ ତାକୁ ଅନ୍ୟ ବ୍ୟକ୍ତିଙ୍କୁ କିମ୍ବା କବାଡିଆକୁ ବିକ୍ରି କରି କିଛି ରୋଜଗାର କରିଥାଏ। କିନ୍ତୁ ଚମକପ୍ରଦ କଥା ହେଲା ଯାତ୍ରା ପାର୍ଟିଗୁଡ଼ିକରୁ ମିଳୁଥିବା ମାଗଣା ଅନୁମତିପତ୍ର (ଫ୍ରି ପାସ୍‌)କୁ ଅଧା ମୂଲ୍ୟରେ ଲୋକଙ୍କୁ ବିକି ଲବ୍ଧ ଅର୍ଥରେ ଭୋଜିଭାତ କରିବା ନଜିର ମଧ୍ୟ ସାମ୍ନାକୁ ଆସେ। ଯଦି ଶିକ୍ଷିତ ବ୍ୟକ୍ତିମାନେ ସମାଜରେ ଏପରି ପୁନଃଚକ୍ରୀକରଣ କରନ୍ତି ତେବେ ଜରି ଗୋଟାଳି ପିଲାଏ ବା ପଛାନ୍ତେ କାହିଁକି? ସେମାନେ ଅଇଁଠା ପତ୍ରରୁ ଉପର ଜରିଟି କାଢି କିମ୍ବା ବ୍ୟବହୃତ ପାଣିବୋତଲ, କପ୍‌, ଚାମଚ ଇତ୍ୟାଦିକୁ ସଂଗ୍ରହ କରି ଧୋଇଧାଇ ପୁନଶ୍ଚ ବଜାରରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ରିସାଇକ୍ଲିଙ୍ଗ ପାଇଁ ଦେଇଆସନ୍ତି କିଛି ଉପାର୍ଜନ ଆଶାରେ। ଅତି ଆଶ୍ଚର୍ଯ୍ୟର କଥା, ଶବ ଦାହ ପରେ ମଶାଣିରୁ ସଂଗୃହୀତ ଅଙ୍ଗାରକୁ ଧୋଇ ଶୁଖେଇ କମାରଶାଳକୁ ବିକ୍ରି କରିବାକୁ ମଧ୍ୟ କିଛି ଲୋକ ବେଉସା କଲେଣି। ଆମେ ଦୁଃଖୀରଙ୍କିଙ୍କୁ ଦାନ କରୁଥିବା କମ୍ବଳ, ପଲିଥିନ କିମ୍ବା ସରକାରୀ ତାଲିମ ପରେ ମିଳୁଥିବା ସିଲାଇ ମେଶିନ କି ସ୍କୁଲରୁ ମିଳୁଥିବା ମାଗଣା ସାଇକେଲ ସବୁ ବଜାରରେ ଉପଲବ୍ଧ ହୁଏ। ଆଉ ମାଗଣାରେ ମିଳୁଥିବା ଚାଉଳ, ଚିନି, କିରୋସିନ ବା ଏଥିରୁ ବାଦ୍‌ ପଡନ୍ତା କିପରି? ତେଣୁ ସାଧାରଣ ଜନତାଙ୍କ ଆଖିରେ ଧୂଳିଦେଇ ଯିଏ ଯେତେ ପ୍ରକାରରେ ବ୍ୟବହୃତ ସାମଗ୍ରୀକୁ ପୁନଶ୍ଚ ବିକ୍ରି କରିପାରିଲା ସେ ସେତେ ଲାଭ କରିବ। ଅତଏବ ଆଜିର ଯୁଗରେ ଖାଲି ବର୍ଜ୍ୟବସ୍ତୁର ପୁନଃଚକ୍ରୀକରଣ କରାଯାଉନାହିଁ ବରଂ ଆମ ଅଲକ୍ଷ୍ୟରେ ବ୍ୟବହୃତ ବସ୍ତୁର ମଧ୍ୟ ସୁପରିଚାଳନା ନାମରେ ଯେଉଁ ଚକ୍ରୀକରଣ କରାଯାଉଛି ତାହା ଆମ ଉନ୍ନତ ବୁଦ୍ଧିର ପରିଚାୟକ ନୁହେଁ କି?
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର, ମୋ-୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri