ଭିନ୍ନକ୍ଷମଙ୍କୁ ମିଳୁନି କାର୍ଯ୍ୟାଦେଶ, ଜିଲାପାଳଙ୍କ ଦ୍ୱାରସ୍ଥ

ଅନୁଗୋଳ ଅଫିସ, ୧୭।୧୦: ଅନୁଗୋଳ ବ୍ଲକ ବେଡ଼ାଶାସନ ପଞ୍ଚାୟତ କାନ୍ଥରେ ନାମ ଥାଇ ମଧ୍ୟ ହମାମିରାର ଭିନ୍ନକ୍ଷମ ହିତାଧିକାରୀ ଦୟାନିଧି ସାହୁଙ୍କୁ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯାଉ ନ ଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗରେ ଦୟାନିଧି ଦର୍ଶାଇଛନ୍ତି ଯେ, କ୍ରମିକ ସଂଖ୍ୟା ୧୭ ଓ ଅଗ୍ରାଧିକାରୀ କ୍ରମିକ ସଂଖ୍ୟା ୮୪ରେ ଥିବା ସତ୍ତ୍ୱେ ତାଙ୍କୁ ଆବାସ ଯୋଜନାରୁ ବର୍ତ୍ତମାନ ସୁଦ୍ଧା ବଞ୍ଚତ୍ତ ହେବାକୁ ପଡ଼ିଛି। ତାଙ୍କ ତଳେ ଥିବା ଲୋକଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବାବେଳେ ଏଥିପାଇଁ ତାଙ୍କୁ କେତେଜଣ କୁଜିନେତା ହାତଗୁଞ୍ଜା ମାଗୁଛନ୍ତି। ଏପରି କି ଟଙ୍କା ନ ଦେଲେ କାର୍ଯ୍ୟାଦେଶ ପ୍ରଦାନ କରାଯିବ ନାହିଁ ବୋଲି ଧମକ ଦେଉଥିବା ଦୟାନିଧି ଉଲ୍ଲେଖ କରିଛନ୍ତି। ଜିଲାପାଳ ତାଙ୍କ ଅଭିଯୋଗ ଗ୍ରହଣ କରିବା ସହ ବ୍ଲକ କାର୍ଯ୍ୟାଳୟରେ ଦେଖା କରିବା ପାଇଁ ପରାମର୍ଶ ଦେଇଥିବା ଦୟାନିଧି ପ୍ରକାଶ କରିଛନ୍ତି। ଏ ନେଇ ଅନୁଗୋଳ ବିଡିଓ ମାୟାଧର ବେହେରା କହିଛନ୍ତି, ଏପରି ହେବା କଥା ନୁହେଁ। କ’ଣ ହୋଇଛି ଅନୁଧ୍ୟାନ ପରେ ତାହା ଜଣାପଡ଼ିବ। ଅନୁସୂଚିତ ଜାତି ଓ ଜନଜାତି ହୋଇଥିଲେ ତୁରନ୍ତ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯିବ। ଅନ୍ୟଜାତିର ହୋଇଥିଲେ ଅନୁଧ୍ୟାନ ପରେ ବିଚାର କରାଯିବ। ଚଳିତବର୍ଷ ଆବାସ ଯୋଜନାର ଟାର୍ଗେଟ ପୂରଣ ହୋଇଥିବାରୁ ଏବେ ମିଳିବା ସମ୍ଭବ ନୁହେଁ। ତଥାପି ଅଭିଯୋଗ ଉପରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ବିଡିଓ ପ୍ରକାଶ କରିଛନ୍ତି।