ଭିତ୍ତିଭୂମି ବିକାଶକୁ ଅପେକ୍ଷା

ଖଇରା, ୨।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଗ୍ରାମରେ ରହିଛି କେଶବ ପୁରସ୍ତମ ମାନସିକ ଅନଗ୍ରସର ବିଦ୍ୟାଳୟ ା ଏଠାରେ ରହୁଥିବା ପ୍ରତ୍ୟେକଟି ଅନ୍ତେବାସୀ ମାନସିକ ବିକାରଗ୍ରସ୍ତ। ଏବେ ଏହି ବିଦ୍ୟାଳୟ ଅନେକ ସମସ୍ୟା ଦେଇ ଗତି କରୁଛି। ସରକାରଙ୍କ ହାତ ଟେକାକୁ ଅନାଇ ପରିଚାଳନା କମିଟି ଏହି ବିଦ୍ୟାଳୟକୁ କଷ୍ଟେମଷ୍ଟେ ଚଳାଉଛନ୍ତି ା
ଏହି ଦିବ୍ୟାଙ୍ଗ ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଗ୍ରାମର କେଶବ ମହାପାତ୍ର ୨୦୦୪ ମସିହାରେ ନିଜର ୨୪ ଡିସିମିଲ ଜାଗା ଦେଇ ମାନସିକ ଅନଗ୍ରସର ବିଦ୍ୟାଳୟ ଆରମ୍ଭ କରିଥିଲେ ା ପ୍ରଥମେ ନିଜସ୍ବ ଉଦ୍ୟମରେ ଘରଟିଏ ନିର୍ମାଣ କରି ମୟୂରଭଞ୍ଜ ଓ କେନ୍ଦୁଝର ଜିଲାରୁ ମାନସିକସ୍ତରରେ ଦୁର୍ବଳ ଥିବା ପିଲାମାନଙ୍କୁ ଆଣି ରଖାଇଥିଲେ। ଏମାନଙ୍କ ଶିକ୍ଷାଦାନ ପାଇଁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷିତ ଶିକ୍ଷକଙ୍କୁ ନିଯୁକ୍ତି ଦେବା ସହ ପାରିଶ୍ରମିକ ଦେଉଥିଲେ ା ୧୪ବର୍ଷ ପରେ ଅର୍ଥାତ ୨୦୧୮ ମସିହାରେ ଶିକ୍ଷକଙ୍କୁ ସରକାରୀ ସ୍ତରରେ ପାରଶ୍ରମିକ ମିଳିବା ପ୍ରକ୍ରିୟା ଆରମ୍ଭ ହୋଇଛି ା ପିଲାମାନେ ଜିଲା ଓ ରାଜ୍ୟ ସ୍ତରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ଲାଭ କରି ବିଦ୍ୟାଳୟ ନାମକୁ ଆଗକୁ ନେଇଛନ୍ତି। ହେଲେ ଭିତ୍ତିଭୂମି ସଜାଡିବା ପାଇଁ ସରକାର ଦୃଷ୍ଟି ଦେଉ ନ ଥିବାରୁ ଏଠାରେ ରହୁଥିବା ପିଲାମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ା ୪ କୋଠରୀ ବିଶିଷ୍ଟ ଆଜବେଷ୍ଟସ ଛପର ଘରେ ଶିକ୍ଷାଦାନ ଦିଆଯିବା ସହ ପିଲାମାନେ ସେହି ଘରେ ରହୁଛନ୍ତି। ଏହି ପିଲାମାନଙ୍କ ଶିକ୍ଷା ପାଇଁ ଆବଶ୍ୟକ ହେଉଥିବା ସରଞ୍ଜାମକୁ ପରିଚାଳକ ଯୋଗାଡ କରିଥିବା ବେଳେ ଅର୍ଥ ଅଭାବରୁ ଆହୁରି ଅନେକ ଜିନିଷ କିଣାଯାଇ ପାରୁନାହିଁ। ସେହିଭଳି ପାଚେରି ଅଭାବରୁ ପିଲାମାନେ ଭୟ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ା ଖାଦ୍ୟ ପୋଷାକ ବାବଦକୁ ଖର୍ଚ୍ଚ ମିଳୁଥିଲେ ହେଁ ଚିକିତ୍ସା ପାଇଁ ବର୍ଷକୁ ୧୦ହଜାର ଟଙ୍କା ମିଳିଥାଏ ା ୫୧ ପିଲାମାନଙ୍କ ପାଇଁ ଆବଶ୍ୟକ ଶୌଚାଳୟ ନ ଥିବାରୁ ଶୌଚ ପାଇଁ ପିଲାମାନଙ୍କୁ ବାହାରକୁ ଯିବାକୁ ପଡିଥାଏ। ଯଦି ଭିତ୍ତିଭୂମିର ବିକାଶ ପ୍ରତି ସରକାର ଦୃଷ୍ଟି ଦିଅନ୍ତେ ତେବେ ପିଲାମାନେ ଭବିଷ୍ୟତରେ ସଫଳ ହୋଇପାରନ୍ତେ ବୋଲି ପ୍ରଧାନ ଶିକ୍ଷୟତ୍ରୀ ମମତା କର କହିଛନ୍ତି ା