ପଦ୍ମପୁର,୨୯।୭ (ପ୍ରଦୀପ୍ତ ଦାଶ) : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ପଦ୍ମପୁର ସହର ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅବିରତ ବର୍ଷା ଫଳରେ ସହର ଓ ଗ୍ରାମର ଅନେକ ରାସ୍ତା ଜଳମଗ୍ନ ହୋଇପଡ଼ିଥିବା ବେଳେ ବହୁ ସ୍ଥାନରେ ଘରେ ପାଣି ପଶିଯାଇ ଲୋକମାନେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଏହାସହ କୃଷି କ୍ଷେତ୍ରରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି। ଦହିଗାଁ ପଞ୍ଚାୟତ ଅଧୀନ ବୁବୁଡା ଓ ଦର୍ଲିଗୁଡା ଗ୍ରାମର ଅନେକ ଘରେ ବର୍ଷା ପାଣି ପଶି ଜଳମଗ୍ନ ହୋଇଛି। ବୁବୁଡା ଗ୍ରାମର ବନମାଳି ବୁଡେକଙ୍କ ବାସଗୃହ ପ୍ରବଳ ବର୍ଷାରେ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ଦୁଇଟି ସାଇକେଲ ଏବଂ ଗୋଟିଏ ପାୱାର ରୋଟାଭେଟର (ପାୱାର ଟିଲର୍) କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଘଟଣା ସମୟରେ ପରିବାର ସଦସ୍ୟମାନେ ଘର ଭିତରେ ଶୋଇଥିଲେ। ହଠାତ୍ ଘରଟି ଭୁଶୁଡ଼ି ପଡ଼ିବାରୁ ସେମାନେ ଅଳ୍ପକେ ପ୍ରାଣରକ୍ଷା ପାଇଥିଲେ। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି।
ଅନ୍ୟପଟେ ଅବିରତ ବର୍ଷାରେ ଅଞ୍ଚଳର ବିସ୍ତୀର୍ଣ୍ଣ ଚାଷଜମି ଜଳମଗ୍ନ ହୋଇ ରହିଥିବାରୁ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। କ୍ଷୟକ୍ଷତିର ଆକଳନ କରି ପ୍ରଭାବିତ ପରିବାର ଓ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

