Categories: ରାଜ୍ୟ

ଭିତରକନିକାରେ ୨୫ କୁମ୍ଭୀର ବସା ଚିହ୍ନଟ

ରାଜନଗର,୨୭ା୫(ଡି.ଏନ୍‌.ଏ.) : କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ଭିତରକନିକା ଜାତୀୟ ଉଦ୍ୟାନରେ ରବିବାର ସୁଦ୍ଧା ୨୫ଟି କୁମ୍ଭୀର ବସା ଚିହ୍ନଟ ହୋଇଛି। ଏହି ଜାତୀୟ ଉଦ୍ୟାନର ନଦୀ, ନାଳଗୁଡ଼ିକରେ ବସବାସ କରୁଥିବା ବିରଳ ବଉଳା କୁମ୍ଭୀର ବସାରେ ଅଣ୍ଡା ଦେଇଥିବା ଜଣାପଡ଼ିଛି। ଭିତରକନିକା ଫରେଷ୍ଟ ବ୍ଲକ ଓ ଡାଙ୍ଗମାଳ ଫରେଷ୍ଟ ବ୍ଲକର ଗଞ୍ଜେଇଖିଆ, ଶୁଆଯୋର, ଚିନ୍ତାମଣି ମହାନ୍ତି ଯୋର, ଭିତରକନିକା ସମେତ ଡାଙ୍ଗମାଳ ସ୍କିମ୍‌ ଅଞ୍ଚଳରେ କୁମ୍ଭୀର ବସା କରିଥିବା ଜଙ୍ଗଲ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି।
ପ୍ରତିବର୍ଷ ମେ ରୁ ଜୁଲାଇ ୩ ମାସ ମଧ୍ୟରେ ବଉଳା କୁମ୍ଭୀରମାନେ ବସା କରି ଅଣ୍ଡା ଦେଇଥାନ୍ତି। ମାଈ କୁମ୍ଭୀର ଅଣ୍ଡାଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାନ୍ତି। ନାଳଠାରୁ ଟିକେ ଉଚ୍ଚା ସ୍ଥାନରେ, ଯେପରି ଜୁଆର ସମୟରେ ବସା ଭାସି ନ ଯାଏ, ସେଭଳି ନିରାପଦ ସ୍ଥାନରେ ବସା କରିଥାନ୍ତି। ଖରଖରି ପତ୍ର ଓ କାଠି କୁଟାକୁ ସଂଗ୍ରହ କରି ଦେଢ଼ରୁ ଦୁଇ ଫୁଟ ଉଚ୍ଚର ଗଦା କରଥାନ୍ତି। ଏହି ଗଦା ଉପରେ ଅଣ୍ଡା ଦେବା ପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡ଼ାଇ ଦେଇଥାନ୍ତି। ପ୍ରତ୍ୟେକ ମାଈ କୁମ୍ଭୀର ୪୦ରୁ ୫୦ ପର୍ଯ୍ୟନ୍ତ ଅଣ୍ଡା ଦେଇଥାନ୍ତି। ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଅଣ୍ଡାରୁ ଛୁଆ ବାହାରିଥାଏ। ସବୁଠୁ ବଡ଼କଥା ହେଲା କୁମ୍ଭୀର ଅଣ୍ଡା ଦେବା ପରେ ତା’ର ବସା ପାଖରେ ଜଗି ରହିଥାଏ। ଏହି ସମୟରେ କୁମ୍ଭୀରମାନେ ଅତ୍ୟଧିକ ହିଂସ୍ର ହୋଇ ଉଠିଥାନ୍ତି। ଏଥିପାଇଁ ବନବିଭାଗ ପକ୍ଷରୁ ଚଳିତବର୍ଷ ମେ ୧ ତାରିଖ ଠାରୁ ଜୁଲାଇ ୩୧ ତିନି ମାସ ଯାଏଁ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଚିହ୍ନଟ ପ୍ରକ୍ରିୟା ଚାଲିଥିବାରୁ ବସା ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବନବିଭାଗ ସୂତ୍ରରୁ ଜଣାପଡ଼ିଛି। କୁମ୍ଭୀର ବସା ଚିହ୍ନଟ ପାଇଁ କନିକା ରେଞ୍ଜରେ ୩ଟି ଟିମ୍‌ ଗଠନ କରାଯାଇଛି। ଫରେଷ୍ଟର ବିଜୟ କୁମାର ପାତ୍ର, ଫରେଷ୍ଟ ଗାର୍ଡ ସୁନିଲ ରାଉତରାୟ, ସବିତା ବେହେରାଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୪ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।