ଭିଡିଓ କନଫରେନ୍ସରେ ହୋଇପାରେ ବିଧାନସଭା ଅଧିବେଶନ

ଭୁବନେଶ୍ୱର,୪।୬(ବ୍ୟୁରୋ): କରୋନା (କୋଭିଡ୍‌-୧୯) ମହାମାରୀ ସଂକ୍ରମଣ ବିଧାନସଭା ଅଧିବେଶନ ବସିବା କ୍ଷେତ୍ରରେ ବାଧା ସୃଷ୍ଟି କରିଛି। ଆସନ୍ତା ୬ ମାସ ଅର୍ଥାତ୍‌ ସେପ୍ଟେମ୍ବର ମଧ୍ୟରେ ବାଚସ୍ପତି ବିଧାନସଭା ଅଧିବେଶନ ଡାକି ପାରନ୍ତି। ପୂର୍ବଭଳି ବିଧାନସଭାରେ ଅଧିବେଶନ ନ ହୋଇ ଲୋକସେବା ଭବନରେ ହେବ ବୋଲି ସୂଚନା ମିଳିଛି। ତେବେ ଏହି ଅଧିବେଶନ ଭିଡିଓ କନଫରେନ୍ସ ଜରିଆରେ କରିବାକୁ ବାଚସ୍ପତି ଯୋଜନା କରୁଥିବା ଜଣାପଡିଛି। ଗୁରୁବାର ଏ ନେଇ ଲୋକ ସଭା ଓ ରାଜ୍ୟ ସଭା ବାଚସ୍ପତି, ସଚିବ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନେବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି। ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ୬ ମାସ ମଧ୍ୟରେ ଥରେ ଅଧିବେଶନ ଡକାଯିବ। ମାର୍ଚ୍ଚ ୩୦ରେ ବଜେଟ ଅଧିବେଶନ ଶେଷ ହୋଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ମଧ୍ୟରେ ପୁଣି ଥରେ ବସିବ। ମୌସୁମୀ ଅଧିବେଶନ କେବେ ବସିବ ସେ ନେଇ ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି କହିଛନ୍ତି।
ଏଠାରେ ସୂଚନା ଯୋଗ୍ୟ ଯେ, କୋଭିଡ୍‌-୧୯ ସଂକ୍ରମଣ ଆଶଙ୍କାରେ ପ୍ରଥମ ଥର ଲାଗି ୨୦୨୦ ମାର୍ଚ୍ଚ ୩୦ରେ ବିଧାନସଭା ପରିବର୍ତ୍ତେ ଲୋକସେବା ଭବନ କନ୍‌ଭେନଶନ ହଲ୍‌ରେ ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ ଡକାଯାଇଥିଲା। କରୋନା ସଂକ୍ରମଣ ଆଶଙ୍କା ଥିବାରୁ ବାଚସ୍ପତି ସମସ୍ତ ରାଜନୈତିକ ଦଳର ମାତ୍ର ୩୦ ପ୍ରତିଶତ ସଦସ୍ୟଙ୍କୁ ବୈଠକରେ ଯୋଗ ଦେବାପାଇଁ ପରାମର୍ଶ ଦେଇଥିଲେ। ହଲ୍‌କୁ ଯିବା ପୂର୍ବରୁ ସଦସ୍ୟମାନେ ମାସ୍କ ପରିଧାନ କରିବା ସହିତ ହାତକୁ ଭଲଭାବେ ସାନିଟାଇଜ୍‌ କରିଥିଲେ। ସଦସ୍ୟମାନେ ପରସ୍ପର ଠାରୁ ୧ ମିଟର ଦୂରତାରେ ବସିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୫୫ ହଜାର ୯୬୩ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍‌ ବିଧାନସଭାର ଅନୁମୋଦନ ଲାଭ କରିଥିଲା। ଏଥିସହିତ ୩୮ ବିଭାଗର ଖର୍ଚ୍ଚ ଦାବିକୁ ମଧ୍ୟ ଗିଲୋଟିନ୍‌ ମାଧ୍ୟମରେ ପାରିତ କରାଯାଇଥିଲା।