ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ସିଡିଭିଓ: କାର୍‌ରୁ ଜବତ ହେଲା ୩ ଲକ୍ଷ ୯୧ ହଜାର ଟଙ୍କା

ବାରିପଦା ଅଫିସ/ବେତନଟୀ,୧୨।୬: ( ଡିଏନଏ)- ମୟୂରଭଞ୍ଜ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ( ସିଡିଭିଓ) ଡା. ଅଭୟ କୁମାର ତ୍ରିପାଠୀ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡ଼ିଛିନ୍ତି। ସେ ସକାଳେ ସରକାରୀ ଗାଡ଼ିରେ ଭୁବନେଶ୍ୱର ଅଭିମ୍ମୁଖେ ଯାଉଥିବା ବେଳେ ବେତନଟୀଠାରେ ବାଲେଶ୍ୱର ଓ ବାରିପଦା ଭିଜିଲାନ୍ସ ଟିମ୍‌ର ମିଳିତ ଚଢ଼ାଉରେ ଧରା ପଡ଼ିଥିଲେ। ଭିଜିଲାନ୍ସ ଟିମ୍‌ ତାଙ୍କ କାର୍‌ରୁ ନଗଦ ୩ ଲକ୍ଷ ୯୧ ହଜାର ଟଙ୍କା ଜବତ କରିଛି। ଏତେ ଟଙ୍କା କେଉଁଠାରୁ ଆସିଲା ସେ ନେଇ ତାଙ୍କୁ ବେତନଟୀସ୍ଥିତ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ରଖି ଜେରା ଚାଲିଥିଲା। ପରେ ତାଙ୍କୁ ବାରିପଦାସ୍ଥିତ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟକୁ ନେଇ ଭିଜିଲାନ୍ସର ଅଧିକାରୀମାନେ ପଚରାଉଚରା ଜାରି ରଖିଛନ୍ତି। ସେହିଭଳି ସିଡିଭିଓଙ୍କ ଭୁବନେଶ୍ୱରସ୍ଥିତ ବାସଭବନ ଓ ବାରିପଦା ମଧୁବନ ନିକଟସ୍ଥ ରାଣୀସତୀ ମନ୍ଦିର ନିକଟରେ ଥିବା ଭଡ଼ା ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ଚାଲିଛି। ତଦନ୍ତ ପରେ ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଛି।