ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ

ପୁରୀ ଅଫିସ/ନିମାପଡ଼ା, (ଡି.ଏନ.ଏ)୧୭-୯:ନିମାପଡ଼ା ଜଳସମ୍ପଦ ବିଭାଗର କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ସୋମବାର ତାଙ୍କ ସରକାରୀ କାର୍ଯ୍ୟାଳୟ, ବାସଭବନ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ସମୟରେ ୧୦ଟି ପ୍ଲଟ, ୨ଟି ଚାରି ମହଲା କୋଠା, ଏକ ଆଜବେଷ୍ଟ୍‌ସ ଘର, ୩୪ ଲକ୍ଷ ଟଙ୍କାର ଦୁଇଟି କାର୍‌, ୩ଟି ବାଇକ୍‌, ୧୪ ଲକ୍ଷ ଟଙ୍କାର ସୁନାଗହଣା, ଏଲ୍‌ଆଇସି ଏବଂ ଅନ୍ୟାନ୍ୟ କମ୍ପାନୀରେ ରହିଥିବା ୭ ଲକ୍ଷ ଟଙ୍କାର ବୀମା, ବିଭିନ୍ନ ବ୍ୟାଙ୍କରେ ଥିବା ଏକାଧିକ ଜମାଖାତା ଜବତ କରାଯାଇଛି। ଜବତ ହୋଇଥିବା ଯନ୍ତ୍ରୀ ବିଶ୍ୱାଳଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଦେଢ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଚଢାଉ ଜାରି ରହିଥିବା ପୁରୀ ଭିଜିଲାନ୍ସ ଡିଏସ୍‌ପି ହର ନାରାୟଣ ପତି କହିଛନ୍ତି।
ସୂଚନା ଅନୁଯାୟୀ, ଭୋର ସମୟରେ ପୁରୀ ଓ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ ହୋଇଥିଲା। ନିମାପଡ଼ାସ୍ଥିତ ଯନ୍ତ୍ରୀ ବିଶ୍ୱାଳଙ୍କ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସ, ନିମାପଡ଼ା ଏନ୍‌ଏସି ଅଧୀନ ଭୁବନପୁରସ୍ଥିତ ଘର, ପୁରୀ ସହରର ମଧୁବନ ୫ମ ଲେନ୍‌ ଏବଂ ସେନାପତି ବଗିଚାରେ ଥିବା କୋଠା, ବଳଙ୍ଗା ଥାନା ଅନ୍ତର୍ଗତ ବ୍ରାହ୍ମଣଖଣ୍ଡିସ୍ଥିତ ପୈତୃକ ଘର ଏବଂ ଦୀପ୍ତିଦେଉଳିସ୍ଥିତ ଶ୍ୱଶୁର ଘରେ ଏକସଙ୍ଗେ ଚଢାଉ କରାଯାଇଥିଲା। ଭୁବନେଶ୍ୱର ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ ପାଣିଗ୍ରାହୀ, ଆଇଆଇସି ସରିତା ତ୍ରିପାଠୀ, ଏ.କେ. ବିରୁଆଙ୍କ ସମେତ ପୁରୀ ଡିଏସ୍‌ପି ପତି, ଆଇଆଇସି ମଦନ ମୋହନ ପ୍ରଧାନ, ଖୋର୍ଦ୍ଧା ଭିଜିଲାନ୍ସର ଆଇଆଇସି ଚନ୍ଦ୍ରକଳା ଜେନା ଏବଂ ମନୋରଞ୍ଜନ ପାଇକରାୟ ପ୍ରମୁଖ ଚଢାଉରେ ସାମିଲ ଥିଲେ।