ଭିଜିଲାନ୍ସ ଜାଲରେ କିରାଣି: ମୃତ୍ୟୁକାଳୀନ ସାର୍ଟିଫିକେଟ ପାଇଁ ନେଉଥିଲେ ୧ ହଜାର ଲାଞ୍ଚ

ଖୋର୍ଦ୍ଧା ଅଫିସ,୧୧ା୯:  ମୃତ୍ୟୁ କାଳୀନ ସାର୍ଟିଫିକେଟ ଦେବାକୁ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଖୋର୍ଦ୍ଧା ବ୍ଲକ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗର କିରାଣି ଅଶୋକ କୁମାର ମହାନ୍ତି (୪୭) ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଅଶୋକଙ୍କଠାରୁ ଭିଜିଲାନ୍ସ ୧ ହଜାର ଟଙ୍କା ଜବତ କରିଥିବାବେଳେ ୭ ପିସି ଆମେଣ୍ଡମେଣ୍ଟ ଆକ୍ଟ ୨୦୧୮ରେ ନଂ. ୩୭/୧୯ରେ ମକଦ୍ଦମା ରୁଜୁ କରି ବୁଧବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଅଶୋକଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି।
ବଣିଆଟାଙ୍ଗୀର ମନୋରଞ୍ଜନ ରାୟଙ୍କର ବାପା ରାଜେନ୍ଦ୍ରଙ୍କ ୨୦୦୩ରେ ମୃତ୍ୟୁବରଣ କରିଥିଲେ। ତେବେ ବାପାଙ୍କର ମୃତ୍ୟୁକାଳୀନ ସାର୍ଟିଫିକେର୍ଟ ମନୋରଞ୍ଜନ କାଢି ନ ଥିଲେ। ଆବଶ୍ୟକତା ଦୃଷ୍ଟିରୁ ମୃତ୍ୟୁ କାଳୀନ ସାର୍ଟିଫିକେର୍ଟ ପାଇଁ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କିରାଣି ଅଶୋକଙ୍କ ସହ ମନୋରଞ୍ଜନ ଯୋଗାଯୋଗ କରିଥିଲେ। ମୃତ୍ୟୁକାଳୀନ ସାର୍ଟିଫିକେର୍ଟ ପାଇଁ ୨ ହଜାର ଟଙ୍କା ଦେବାକୁ ପଡିବ ବୋଲି ଅଶୋକ ରୋକଠୋକ କହିଥିଲେ। ଗତ ୭ ତାରିଖରେ ପୁଣି ଯୋଗାଯୋଗ କରିବାରୁ ସେହି ୨ ହଜାର ମାଗିଥିଲେ। ଶେଷରେ ୧ ହଜାର ଟଙ୍କା ଦେଲେ ମୃତ୍ୟୁ କାଳୀନ ସାର୍ଟିଫିକେର୍ଟ ଦେବେ ବୋଲି ଅଶୋକ କହିଥିଲେ। ଏପରିସ୍ଥିତିରେ ମନୋରଞ୍ଜନ ଭିଜିଲାନ୍ସ ସହ ଯୋଗାଯୋଗ କରି ବୁଧବାର ମଧ୍ୟାହ୍ନରେ ଅଶୋକଙ୍କୁ ୨ଟି ୫୦୦ ଟଙ୍କିଆ ନୋଟ ଲାଞ୍ଚ ଦେଇଥିଲେ। କିଛି ସମୟ ପରେ ପ୍ରାୟ ୧୨. ୧୫ରେ ଜନ୍ମମୃତ୍ୟୁ ପଞ୍ଜୀକରଣ ବିଭାଗରେ ଭିଜିଲାନ୍ସ ଚଢାଉ କରି ଅଶୋକଙ୍କଠାରୁ ୧ ହଜାର ଟଙ୍କା ଜବତ କରିଥିଲେ। ଏପରିକି ମୃତ୍ୟୁ କାଳୀନ ପ୍ରମାଣ ପତ୍ରର ଆବେଦନ ପତ୍ର, ଆବଶ୍ୟକ କାଗଜପତ୍ର ଭିଜିଲାନ୍ସ ଜବତ କରିଛି। ଭୁବନେଶ୍ୱର ଡିଏସ୍‌ପି ସୁଶାନ୍ତ ପାଣିଗ୍ରାହୀ, ଖୋର୍ଦ୍ଧା ଡିଏସ୍‌ପି ଭାରପ୍ରାପ୍ତ ମନୋରଞ୍ଜନ ପାଇକରାୟଙ୍କ ନେତୃତ୍ୱରେ ଇନ୍ସପେକ୍ଟର ଚନ୍ଦ୍ରକଳା ଜେନା, ଅଶୋକ ବିରୁହା, ୮ଜଣ ଏହି ଚଢ଼ାଉରେ ସାମିଲ ହୋଇଥିଲେ। କଟକ ଜିଲା ବାଙ୍କୀ ବ୍ଲକ ସହାଡାପଦା ଗଁାରେ ଅଶୋକଙ୍କ ଘର ହୋଇଥିବାବେଳେ ସେ ଖୋର୍ଦ୍ଧା ଲୋକେଶ୍ୱରପୁରରେ ରହୁଛନ୍ତି।