ଭିଜିଲାନ୍ସ ଜାଲରେ ଏମ୍‌କେସିଜି ମେଡିକାଲ କନିଷ୍ଠ କିରାଣି

ବ୍ରହ୍ମପୁର ଅଫିସ,୭ା୧-ଏମ୍‌କେସିଜି ମେଡିକାଲରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନାମରେ ଥିବା ଏକ ଏଲଆଇସି କ୍ଲେମ୍‌ ଫାଇଲ ପ୍ରୋସେସିଂ ପାଇଁ ଲାଞ୍ଚ ନେଇ ଏମ୍‌କେସିଜି ସର୍ଜରୀ (ଅସ୍ତ୍ରୋପଚାର) ବିଭାଗ କନିଷ୍ଠ କିରାଣି ସୋମବାର ଗିରଫ ହୋଇଛନ୍ତି। ଅଭିଯୁକ୍ତ ଜଣକ ଶ୍ରୀକାନ୍ତ କୁମାର ଦାସ। ସେ ଆବେଦନକାରୀ ସତ୍ୟନାରାୟଣ ଷଢଙ୍ଗୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି। ଏନେଇ ଅତିରିକ୍ତ ଏସ୍‌ପି ଶାନ୍ତୁନୁ କୁମାର ପାଢୀ ସୂଚନା ଦେଇଛନ୍ତି। ମାମଲା ନଂ. ୧/୨୦ରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ପୁରୋଷୋତ୍ତମପୁର ପୈତୃକ ବାସଭବନ, ସରକାରୀ କ୍ବାର୍ଟର୍ସ, ଏମ୍‌କେସିଜି ସର୍ଜରୀ ବିଭାଗ ଅଫିସରେ ଚଢାଉ କରାଯାଇଛି ବୋଲି ଏଏସ୍‌ପି ପାଢ଼ୀ କହିଛନ୍ତି। ତାଙ୍କ କାର୍ଯ୍ୟାଳୟରୁ ସମସ୍ତ କାଗଜପତ୍ର ମଧ୍ୟ ଜବତ କରାଯାଇଛି। ମଙ୍ଗଳବାର ଅଭିଯୁକ୍ତ ଦାସଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।
ପ୍ରକାଶ ଯେ, ସୁରଙ୍ଗୀଗଡର ସତ୍ୟନାରାୟଣଙ୍କ ସ୍ତ୍ରୀ ନିରୂପମା ଗତ କିଛିଦିନ ତଳେ ସର୍ଜରୀ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଡିସେମ୍ବର ୧୨ ତାରିଖ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ସତ୍ୟନାରାୟଣ ସ୍ତ୍ରୀଙ୍କ ନାମରେ ପୂର୍ବରୁ ୭୫ ହଜାର ଟଙ୍କାର ଏଲଆଇସି କରିଥିଲେ। ସେ ଉକ୍ତ ଟଙ୍କା ପାଇବା ପାଇଁ ଏଲଆଇସିରେ ଡେଥ କ୍ଲେମ୍‌ ଫର୍ମ ଏମ୍‌କେସିଜି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ଦାଖଲ କରିଥିଲେ। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରୁ ଉକ୍ତ ଫାଇଲ ସର୍ଜରୀ ବିଭାଗକୁ ପଠାଯାଇଥିଲା। ହେଲେ ଫାଇଲ ପ୍ରୋସେସିଂ ପାଇଁ ଶ୍ରୀକାନ୍ତ ଆବେଦନକାରୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସତ୍ୟନାରାୟଣ ଏନେଇ ଭିଜିଲାନ୍ସ ବିଭାଗରେ ଜଣାଇଥିଲେ। ସୋମବାର ସନ୍ଧ୍ୟାରେ ସତ୍ୟନାରାୟଣ ସର୍ଜରୀ ବିଭାଗକୁ ଯାଇ ଶ୍ରୀକାନ୍ତଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ଚଢାଉ କରି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ।