ଭାରରେ ବୁହାହେଲେ ଡଙ୍ଗରିଆ ମହିଳା

ମୁନିଗୁଡା, ୩୦।୮(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡାରେ ଶୁକ୍ରବାର ପୁଣି ଭାରରେ ବୁହାହେଲେ ଡଙ୍ଗରିଆ ମହିଳା। ଆମ୍ବୁଲାନ୍ସ ନ ପାଇବାରୁ ବାଧ୍ୟହୋଇ ଡେଙ୍ଗୁଣି ଗ୍ରାମରୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପ୍ରାୟ ୧୫କିମି ଭାରରେ ବୋହି ଜଣେ ଡଙ୍ଗରିଆ ମହିଳା ରୋଗୀଙ୍କୁ ସମ୍ପର୍କୀୟ ଆଣିଛନ୍ତି।
ପ୍ରକାଶ ଯେ, ଗତ ଦୁଇ ସପ୍ତାହ ହେବ ଡେଙ୍ଗୁଣି ଗ୍ରାମର ହୁଣ୍ଡାରୀ ସିକକାଙ୍କ ଦେହ ଅସୁସ୍ଥ ଥିଲା। ଲଗାଣ ବର୍ଷା ଯୋଗୁ ରାସ୍ତା ଖରାପ ଥିବାରୁ ହୁଣ୍ଡାରୀଙ୍କୁ ଡାକ୍ତରଖାନା ନେବାରେ ଅସୁବିଧା ହୋଇଥିଲା। ଶୁକ୍ରବାର ତାଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହୋଇପଡ଼ିବାରୁ ପ୍ରାୟ ୧୦ କିମି ଭାରରେ ବୋହି ଆଣିବା ପରେ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ଆମ୍ବୁଲାନ୍ସ ନ ପାଇବାରୁ ବାଧ୍ୟହୋଇ ମୁନିଗୁଡ଼ା ସହର ମଧ୍ୟରେ ଭାରରେ ବୋହି ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏ ନେଇ ରୋଗୀଙ୍କ ସମ୍ପର୍କୀୟ ମାଳତୀ ସିକକାଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଛନ୍ତି। ଡାକ୍ତରଖାନାରେ ପହଞ୍ଚିବା ପରେ ମୁନିଗୁଡା ମେଡିକାଲ ଅଫିସରଙ୍କ ସମେତ ଅନ୍ୟ ଡାକ୍ତରମାନେ ତୁରନ୍ତ ରୋଗୀଙ୍କ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ। ତେବେ ରୋଗୀ ରକ୍ତ ହୀନତାର ଶିକାର ଥିବା ଜାଣାପଡ଼ିବା ପରେ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ମୁନିଗୁଡା ମେଡିକାଲ ଅଫିସର ଡା. ସଞ୍ଜୟ କୁମାର ସୂଚନା ଦେଇଛନ୍ତି।