Categories: ଖେଳ

ଭାରତ ରନର୍ସ ଅପ୍‌

ଜୋହର ବାହରୁ (ମାଲେସିଆ), ୨୦ା୧୦- ଭାରତୀୟ ଜୁନିୟର ପୁରୁଷ ହକି ଦଳ ଏଠାରେ ଚାଲିଥିବା ୯ମ ସୁଲ୍‌ତାନ ଅଫ୍‌ ଜୋହର କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ହାରିଯାଇଛି। ଗ୍ରେଟ୍‌ ବ୍ରିଟେନ ୨-୧ ଗୋଲରେ ବିଜୟ ଲାଭ କରି ଚାମ୍ପିୟନ ହୋଇଛି। ଶନିବାର ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ତରଫରୁ ଏକମାତ୍ର ଗୋଲ ଗୁରସାହିବଜିତ୍‌ ସିଂ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ଖେଳ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ତୃତୀୟ କ୍ୱାର୍ଟରରେ ମଧ୍ୟ କୌଣସି ଦଳ ଗୋଲ ଦେବାରେ ସଫଳ ହୋଇ ନ ଥିଲେ। ୪୯ତମ ମିନିଟ୍‌ରେ ଭାରତକୁ ମ୍ୟାଚରେ ଏହାର ୭ମ ପେନାଲ୍ଟି କର୍ନର ମିଳିଥିଲା। ମନଦୀପଙ୍କ ଚମତ୍କାର ଡ୍ରାଗ୍‌ ଫ୍ଲକ୍‌ ଯୋଗୁ ଗୁରସାହିବଜିତ୍‌ ଏହାକୁ ଗୋଲରେ ପରିଣତ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାର ଏକ ମିନିଟ ବ୍ୟବଧାନରେ ଗ୍ରେଟ ବ୍ରିଟେନ ଦଳକୁ ସେମାନଙ୍କର ପ୍ରଥମ ପେନାଲଟି କର୍ନର ମିଳିଥିଲା। ପ୍ରଥମାବସ୍ଥାରେ ସଞ୍ଜୟ ଯଦିଓ ଶଟ୍‌କୁ ଲାଇନରେ ଅଟକାଇ ଦେଇଥିଲେ, କିନ୍ତୁ ଷ୍ଟୁଆର୍ଟ ରଶ୍‌ମେରେ ବଲ୍‌କୁ ଟାଣି ଆଣି ଗୋଲ ସ୍କୋର କରି ମ୍ୟାଚକୁ ସମାନ ସ୍ତରକୁ ନେଇ ଆସିଥିଲେ। ପରେ ଭାରତ ମିଡ୍‌ଫିଲ୍ଡରେ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ମାତ୍ର ଗ୍ରେଟ୍‌ ବ୍ରିଟେନ ଏହାର ଶେଷ ଉଦ୍ୟମରେ ପ୍ରତିଆକ୍ରମଣ କରି ଚାପ ସୃଷ୍ଟି କରିଥିଲା। ଦଳ ୩ଥର ଗୋଲ ଦେବାକୁ ଉଦ୍ୟମ କରି ବିଫଳ ହୋଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ରଶମେରେ ପୁଣି ଗୋଲ ଦେବାରେ ସଫଳ ହୋଇଥିଲେ ଏବଂ ତାଙ୍କ ଦଳକୁ ୨-୧ରେ ବିଜୟୀ କରାଇଥିଲେ।

Share